ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ଫ୍ୟାମିଲ ପେନ୍‌ସନ୍‌ ପ୍ରଦାନ ମାମଲା: ୩ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୯ା୧୧: ସ୍ବାଧୀନତା ସଂଗ୍ରାମୀଙ୍କ ବିଧବା ସ୍ତ୍ରୀଙ୍କୁ ପେନ୍‌ସନ୍‌ ପ୍ରଦାନ ସମ୍ପର୍କିତ ଏକ ଆବେଦନର ଶୁଣାଣି ଶୁକ୍ରବାର ହାଇକୋର୍ଟରେ ହୋଇଥିଲା। ହାଇକୋର୍ଟ ୩ ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁ ରାଜ୍ୟ ଅର୍ଥ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ବିକାଶ ଦାସଙ୍କ ପକ୍ଷରୁ ରୁଜୁ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ରିପ୍ରେଜେଣ୍ଟେଶନ ଆଧାରରେ ପଦକ୍ଷେପ ନେବାକୁ ମୁଖ୍ୟ ବିଚାରପତି କେ.ଏସ୍‌. ଝାବେରୀ ଓ ବିଚାରପତି ଏ.କେ. ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ, ଢେଙ୍କାନାଳ ଜିଲାର ସ୍ବାଧୀନତା ସଂଗ୍ରାମୀ ଶ୍ରୀଧର ପାତ୍ର ସରକାରୀ ନିୟମାନୁଯାୟୀ ପେନ୍‌ସନ୍‌ ପାଇ ଆସୁଥିଲେ। ୨୦୧୧ରେ ପାତ୍ରଙ୍କ ପରଲୋକ ହୋଇଥିଲା। ପରେ ତାଙ୍କ ସ୍ତ୍ରୀଙ୍କୁ ୨୦୧୫ ପର୍ଯ୍ୟନ୍ତ ସରକାର ଫ୍ୟାମିଲି ପେନ୍‌ସନ୍‌ ଦେଇଥିଲେ। ମାତ୍ର ଏହାପରେ ହଠାତ୍‌ ପେନ୍‌ସନ୍‌ ବନ୍ଦ କରି ଦେଇଥିଲେ। ଏ ସମ୍ପର୍କରେ ବୁଝିବାରୁ ସଂଗ୍ରାମୀ ପାତ୍ର ଜେଲ୍‌ ଯାଇ ନ ଥିବାରୁ ଫ୍ୟାମିଲି ପେନ୍‌ସନ୍‌ ଦିଆଯିବ ନାହିଁ ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଥିଲା। ସେହିପରି ୨୦୧୧ରୁ ୨୦୧୫ ପର୍ଯ୍ୟନ୍ତ ପାତ୍ରଙ୍କ ସ୍ତ୍ରୀଙ୍କୁ ଦିଆଯାଇଥିବା ପେନ୍‌ସନ୍‌ ଫେରସ୍ତ ପାଇଁ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ଏ ନେଇ ବିକାଶ ଦାସ ହାଇକୋର୍ଟରେ ଡବ୍ଲ୍ୟୁପି(ସି)୧୬୮୪୩/୨୦୧୯ରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଅର୍ଥ ବିଭାଗ ପକ୍ଷରୁ ଦିଆଯାଇଥିବା ନୋଟିସ୍‌କୁ ରଦ୍ଦ କରିବା ଓ ସଂଗ୍ରାମୀଙ୍କ ପରିବାରକୁ ନିୟମାନୁଯାୟୀ ଫ୍ୟାମିଲ ପେନ୍‌ସନ୍‌ ପ୍ରଦାନ କରିବା ପାଇଁ ଆବେଦନକାରୀ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଥିଲେ। ସେହିପରି ପାତ୍ର ଜେଲ୍‌ ଯାଇଥିବା ନେଇ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିବାବେଳେ ଏହି ମାମଲାର ଶୁଣାଣି କରି ଖଣ୍ଡପୀଠ ଉପରୋକ୍ତ ରାୟ ଶୁଣାଇଛନ୍ତି। ଏହି ମାମଲାକୁ ଆଇନଜୀବୀ ବିଜୟ କୁମାର ମିଶ୍ର ପରିଚାଳନା କରୁଥିଲେ।

Share