ସ୍ବାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ନାୟକଙ୍କ ପରଲୋକ

ପୁରୀ ଅଫିସ,୨୫ା୩:  ବିଶିଷ୍ଟ ଗାନ୍ଧିବାଦୀ ତଥା ସ୍ବାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ନାୟକଙ୍କ ବୁଧବାର ପରଲୋକ ହୋଇଯାଇଛି। ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ସମସ୍ୟା ଯୋଗୁ ମଙ୍ଗଳବାର ତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ତାଙ୍କ ମରଶରୀରକୁ ମାର୍କଣ୍ଡେଶ୍ୱର ସାହି ଯମୁନା ଲେନ୍‌ସ୍ଥିତ ବାସଭବନକୁ ଅଣାଯାଇଥିଲା। ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଶେଷ ଦର୍ଶନ କରିଥିଲେ। ପ୍ରଶାସନ ପକ୍ଷରୁ ତାଙ୍କ ମରଶରୀରରେ ଜାତୀୟ ପତାକା ରଖାଯାଇ ସମ୍ମାନ ପ୍ରଦାନ କରାଯାଇଥିଲା। ସ୍ବର୍ଗଦ୍ୱାରରେ ମୃତଦେହ ସଂସ୍କାର ସମ୍ପନ୍ନ ହୋଇଥିଲା। ବଡଝିଅ ଜ୍ୟୋତ୍ସ୍ନା ନାୟକ ମୁଖାଗ୍ନି ଦେଇଥିଲେ। ସ୍ବର୍ଗଦ୍ୱାରରେ ଉପଜିଲାପାଳ ଭବତାରଣ ସାହୁ, ତହସିଲଦାର ଆଶିଷ କୁମାର ସାହୁ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ରୀୟ ଜେନାଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।
ସ୍ବର୍ଗତ ନାୟକ ୧୯୨୧ରେ ବ୍ରହ୍ମଗିରି ବ୍ଲକର କାଣ୍ଡଗୋଦାଠାରେ ଜନ୍ମଗ୍ରହଣ କରିଥିଲେ। ଛାତ୍ରାବସ୍ଥାରୁ ସେ ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ୧୯୪୨ ମସିହାରେ ରେଭେନ୍ସା କଲେଜରେ ପଢୁଥିବାବେଳେ ଭାରତ ଛାଡ଼ ଆନ୍ଦୋଳନ ପରିପ୍ରେକ୍ଷୀରେ କଟକ ମେଡିକାଲ ହତା ଦେଇ ଯାଉଥିବା ଛାତ୍ର ଶୋଭାଯାତ୍ରାର ପୁରୋଭାଗରେ ରହି ପୋଲିସ ଲାଠିମାଡ଼ରେ ଗୁରୁତର ଆହତ ହୋଇଥିଲେ। ଏଥିପାଇଁ ତାଙ୍କୁ କଲେଜରୁ ବହିଷ୍କୃତ ହେବାକୁ ପଡ଼ିିଥିଲା। ୧୯୪୨ରୁ ୧୯୪୫ ମସିହା ଯାଏ ଅଟକ ବନ୍ଦୀ ଭାବେ ସେ ପୁରୀ ଏବଂ ବ୍ରହ୍ମପୁର କେନ୍ଦ୍ରୀୟ କାରାଗାରରେ ମଧ୍ୟ ରହିଥିଲେ।

Share