ସ୍ବାଧୀନ ତିଆରି କଲେ ସୁବଠାରୁ କ୍ଷୁଦ୍ରତମ ଗଣେଶ ମୂର୍ତ୍ତି

ପୁରୁଣା ଭୁବନେଶ୍ୱର, ୧। ୯ (ଡି.ଏନ.ଏ.)- ବିଘ୍ନରାଜ ଗଣପତିଙ୍କ ପୂଜାକୁ ନେଇ ମନ୍ଦିରଠାରୁ ମଣ୍ଡପ ଯାଏ ଚଳଚଞ୍ଚଳ ହୋଇ ଉଠିଛି। ଅଧା ଇଞ୍ଚରୁ ଟିକେ ଅଧିକ ଉଚ୍ଚତା ବିଶିଷ୍ଟ ଗଜାନନଙ୍କ କ୍ଷୁଦ୍ରତମ ମୂର୍ତ୍ତି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ଭୁବନେଶ୍ୱରର ଜଣେ ଚାରୁ ଓ କାରୁ କଳା ଛାତ୍ର ସ୍ବାଧୀନ ମଲ୍ଲିକ।
କେନ୍ଦ୍ରାପଡ଼ା ଜିଲା ହରିଅଙ୍କ ଗ୍ରାମର ସ୍ବାଧୀନ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଆପ୍ଲାଏଡ୍‌ ଆର୍ଟ ବିଭାଗର ଚତୁର୍ଥ ବର୍ଷର ଛାତ୍ର। କଳାପ୍ରତି ପିଲାଟି ଦିନରୁ ଦୁର୍ବଳତା ରଖିଥିବା ସ୍ବାଧୀନ ଭୁବନେଶ୍ୱରର କଳିଙ୍ଗ ନଗରରେ ରୁହନ୍ତି। ସୃଜନଶୀଳତା ଏବଂ ନୂତନ ଚିନ୍ତାଧାରାକୁ ପାଥେୟ କରି ମୂର୍ତ୍ତି ଦେହରେ ଜୀବନ୍ୟାସ ଦେଉଥିବା ସ୍ବାଧୀନ ଗଣେଶ ପୂଜା ଅବ୍ୟବହିତ ପୂର୍ବରୁ ଏକ ଇଞ୍ଚରୁ କମ୍‌ ଉଚ୍ଚତାର ଗଣେଶ ମୂର୍ତ୍ତି ତିଆରି କରିଛନ୍ତି। କ୍ଷୁଦ୍ର ମୂର୍ତ୍ତି ତିଆରି କରିବା ଏତେ ସହଜ ନ ଥିଲା କୁହନ୍ତି ସ୍ବାଧୀନ। ଆଗ୍ରହ, ନିଷ୍ଠା, ଏକାଗ୍ରତା ବଳରେ ଦୀର୍ଘ ୧୨ ଘଣ୍ଟାର କଠିନ ପରିଶ୍ରମ କରି ସେ ଏପରି ଏକ କ୍ଷୁଦ୍ରତମ ମୂର୍ତ୍ତି ତିଆରି କରି ପାରିଥିବା କୁହନ୍ତି। ଏହି ମୂର୍ତ୍ତିରେ ପ୍ଲାଷ୍ଟର ଅଫ୍‌ ପ୍ୟାରିସ ଓ ପୋଷ୍ଟର କଲର ବ୍ୟବହାର ହୋଇଥିବା ଜଣାଯାଇଛି। ନିଖୁଣ ଭାବେ ତିଆରି ଏହି କ୍ଷୁଦ୍ରତମ ମୂର୍ତ୍ତି ବିରଳ ରେକର୍ଡର ଅଧିକାରୀ ହେବା ନେଇ ସମ୍ଭାବନା ସୃଷ୍ଟି କରିଛି।

Share