ସ୍ବାବଲମ୍ବୀ କରିଛି ଛେଳି ଚାଷ

ସମ୍ବଲପୁର ଅଫିସ,୮ା୩ (ବ୍ୟୁରୋ)
ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଝାଙ୍କପାଲି ପଞ୍ଚାୟତ ମୁଣ୍ଡେର (ଖଲିଆପାଲିର)ର ମନ୍ଦାକିନୀ ଭୋଇ। ସ୍ବାମୀ କୂଳମଣି ମୁଣ୍ଡେର, ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କୁ ନେଇ ତାଙ୍କ ପରିବାର। ପରିବାରର ଆର୍ଥକ ପରିସ୍ଥିତି ସଜାଡିବାକୁ ଯାଇ ୨୦୦୮ରେ ଗାଁର କେତେଜଣ ମହିଳାଙ୍କୁ ନେଇ ଏସ୍‌ଏଚ୍‌ଜି ଗଠନ କରିଥିଲେ ସେ ା ଗ୍ରାମ୍ୟ ବ୍ୟାଙ୍କରୁ ୬୦ ହଜାର ଟଙ୍କା ଋଣ ନେଇଥିଲେ । ଏହାକୁ ସମସ୍ତେ ଭାଗ କରି ସେଥିରେ ୪/୫ଟି ଲେଖାଏଁ ଛେଳି କିଣି ଚାଷ କରିବା ଆରମ୍ଭ କରିଥିଲେ। ହେଲେ ୨ ବର୍ଷ ପରେ ଅଜଣା ରୋଗରେ ମନ୍ଦାକିନୀ ପାଳିଥିବା ଛେଳି ସହ ଅନ୍ୟ ମହିଳାଙ୍କ ଛେଳିଗୁଡିକର ମୃତ୍ୟୁ ଘଟିଥିଲା। ଏଥିରେ ଭାଙ୍ଗି ନ ପଡି ଧିରେ ଧିରେ ସମସ୍ତେ ବ୍ୟାଙ୍କ ଋଣ ପରିଶୋଧ କଲେ । ହେଲେ ବୀମା ଟଙ୍କା ମିଳିଲା ନାହିଁ। ତଥାପି ଛେଳି ଚାଷକୁ ଆଉ ଥରେ ଆରମ୍ଭ କରିବା ପାଇଁ ମନ୍ଦାକିନୀ ଅଣ୍ଟା ଭିଡିଲେ ା ସ୍ଥାନୀୟ ଜଣେ ବ୍ୟକ୍ତିଙ୍କଠାରୁ କିଛି ଟଙ୍କା ଧାର ଆଣି ସେ ଛେଳି କିଣିଥିଲେ ା ନିଜ ଉଦ୍ୟମରେ ସେ ପୁଣିଥରେ ଛେଳି ଚାଷ ଆରମ୍ଭ କଲେ । ଆଜି ମନ୍ଦାକିନୀ ଜଣେ ସଫଳ ଛେଳି ଚାଷୀ ଭାବେ ପରିଚିତ । ଏବେ ତାଙ୍କ ପାଖରେ ୭୦ରୁ ଅଧିକ ଛେଳି ଅଛନ୍ତି। ସ୍ବାମୀ କୁଳମଣି ପୁଅ ଚିତ୍ତରଞ୍ଜନ ସହଯୋଗ କରନ୍ତି। ଛେଳି ଚାଷ ସହିତ ଅଢେଇ ଏକର ଜମିରେ ଧାନ ଓ ପନି ପରିବା ଚାଷ କରନ୍ତି। କୁଳମଣି କୁହନ୍ତି, ଗୋଟିଏ ଛେଳି ୪ରୁ ୮ ହଜାର ଟଙ୍କାରେ ବିକ୍ରି ହୁଏ। ବାର୍ଷିକ ପ୍ରାୟ ୨ ଲକ୍ଷରୁ ଅଧିକ ଟଙ୍କା ଲାଭ ହୋଇଥାଏ। ବର୍ଷା ଓ ଶୀତ ଋତୁରେ ଛେଳିମାନେ ଅଜଣା ରୋଗରେ ପଡନ୍ତି। କିଛି ଛେଳି ମରିଯାଆନ୍ତି। ତେଣୁ ଲାଭ ଅଂଶ କିଛି କମି ଯାଇଥାଏ। ତଥାପି ଆମେ ଏଥିରେ ସଫଳତା ପାଇଛୁ ା ଏହାର ସବୁ ଶ୍ରେୟ ମନ୍ଦାକିନୀ ବୋଲି ସ୍ବାମୀ କୁଳମଣି ସ୍ବୀକାର କରିଛନ୍ତି ା