ସ୍ବାବଲମ୍ବୀ ହେଲେ ଦୁଇ ‘ସ୍ବୟଂସିଦ୍ଧା’

ବାରିପଦା ଅଫିସ,୨୮।୭- ଆଦିବାସୀ ଅଧ୍ୟୁଷିିତ ମୟୂରଭଞ୍ଜ ଜିଲା ସବୁବେଳେ ବାଲ୍ୟବିବାହକୁ ନେଇ ଚର୍ଚ୍ଚାରେ ରହିଆସିଛି। ବାଲ୍ୟବିବାହର ଶିକାର ହେଉଥିବା ନାବାଳିକାଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟ ନେଇ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ‘ସ୍ବୟଂସିଦ୍ଧା’ ଗଠନ କରାଯାଇଥିଲା। ଲକ୍ଷ୍ୟ ଥିଲା ଟିମ୍‌ର ସଦସ୍ୟମାନେ ନାବାଳିକାମାନଙ୍କୁ ବାଲ୍ୟବିବାହର କୁପରିଣତି ସମ୍ପର୍କରେ ସଚେତନ କରିବେ। ଏହି ସ୍ବୟଂସିଦ୍ଧା ଟିମ୍‌ର ଦୁଇଜଣ ସଦସ୍ୟା ମାମିନା ନାୟକ ଓ ସ୍ମୃତିଲତା ସିଂଙ୍କୁ ଦୀନ୍‌ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ କାର୍ଯ୍ୟକ୍ରମ ଜରିଆରେ ତାଲିମ ଦେଇ ସ୍ବାବଲମ୍ବୀ କରାଇବାରେ ସକ୍ଷମ ହୋଇଛି ଜିଲା ଶିଶୁ ସୁରକ୍ଷା ୟୁନିଟ। ମାମିନା ଓ ସ୍ମୃତିଲତା ବାଙ୍ଗାଲୋରସ୍ଥିତ ଏକ କମ୍ପାନୀରେ ନିଯୁକ୍ତି ପାଇବା ନେଇ ମନୋନୀତ ହୋଇଛନ୍ତି। ଏନେଇ ଜିଲାପାଳ ବିନିତ ଭରଦ୍ୱାଜ ମାମିନା ଓ ସ୍ମୃତିଲତାଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିଛନ୍ତି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳ ଏବଂ ଓର୍‌ମାସର ବିମାନ ମଲ ପ୍ରମୁଖ ଉପସ୍ଥିତ ଥିଲେ।