ସ୍ବାବ ପରୀକ୍ଷା ଲାଗି ଦାବି କଲେ ଗ୍ରାମବାସୀ

ଖଇରା, ୫।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଡାଲଙ୍ଗ ସରକାରୀ ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରର ଜଣେ ଅନ୍ତେବାସୀ କରୋନାରେ ସଂକ୍ରମିତ ହେବା ପରେ ବାକି ସେଠାରେ ଥିବା ଅନ୍ତେବାସୀଙ୍କ ଚିନ୍ତା ବଢିଯାଇଛି। ଗୋଟିଏ କେନ୍ଦ୍ରରେ ୧୨ଜଣ ପ୍ରବାସୀ ରହୁଥିବା ବେଳେ ୭ଜଣ ଘର ସଙ୍ଗରୋଧ ଓ ୫ଜଣ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ ା ଜଣଙ୍କର ପଜିଟିଭ ବାହାରିବା ପରେ ଅନ୍ୟମାନେ ସଂକ୍ରମଣ ହେବାର ଆଶଙ୍କା ଦେଖାଦେଇଛି। ତୁରନ୍ତ ସେମାନଙ୍କର ସ୍ବାବ ପରୀକ୍ଷା କରା ନ ଗଲେ ଗ୍ରାମବାସୀ ଓ ଅଭିଭାବକମାନେ ସଙ୍ଗରୋଧ କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିବାକୁ ଗ୍ରାମର ମନୋରଞ୍ଜନ ବୁଗୁଡାଇ, ବୃନ୍ଦାବନ ବେହେରା, ନିରଞ୍ଜନ ମହାରଣା, ଧରଣୀଧର ଦଳେଇ ପ୍ରମୁଖ ଚେତାବନୀ ଦେଇଛନ୍ତି।
ଏହି କେନ୍ଦ୍ରରୁ ମଙ୍ଗଳବାର ଜଣେ ପ୍ରବାସୀଙ୍କ ଲକ୍ଷଣ ଦେଖାଯିବା ପରେ ସ୍ବାବ ଟେଷ୍ଟ କରାଯାଇଥିଲା। ତାହା ପଜିଟିଭ ବାହାରିଥିଲା ା ଏ ସମ୍ପର୍କରେ ସ୍ବାବ ପରୀକ୍ଷା ପାଇଁ ପ୍ରଶାସନକୁ ଅନୁରୋଧ କରାଯାଉଥିଲେ ହେଁ କିଟ ନ ଥିବା ଦର୍ଶାଇ ଏ ପର୍ଯ୍ୟନ୍ତ ସ୍ବାବ ଟେଷ୍ଟ କରାଯାଉ ନ ଥିବା ଅଭିଭାବକମାନେ କହିଛନ୍ତି ା