Categories: ଖେଳ

ସ୍ବାଭାବିକ ଖେଳିବାକୁ ଡୁ ପ୍ଲେସିଙ୍କ ପରାମର୍ଶ

ଦୁବାଇ, ୨୦ା୫ (ପି.ଟି.)-ମେ ୩୦ ତାରିଖରୁ ଇଂଲଣ୍ଡରେ ଆରମ୍ଭ ହେବାକୁଥିବା ଆଇସିସି ବିଶ୍ୱକପ୍‌ରେ ସ୍ବାଭାବିକ ଖେଳିବା ଲାଗି ଦଳର ଖେଳାଳିମାନଙ୍କୁ ପରାମର୍ଶ ଦେଇଛନ୍ତି ଦକ୍ଷିଣ ଆଫ୍ରିକା କ୍ରିକେଟ ଅଧିନାୟକ ଫାଫ୍‌ ଡୁ ପ୍ଲେସି। ପୂର୍ବ ବିଫଳତାକୁ ଭୁଲିଯିବାକୁ ହେବ। ସୁପରମ୍ୟାନ ଭଳି ଚମତ୍କାରିତା ଦେଖାଇବାକୁ ଚେଷ୍ଟାରୁ ବିରତ ରହିବା ଉଚିତ୍‌ ବୋଲି ସେ କହିଛନ୍ତି। ଡୁପ୍ଲେସି ତାଙ୍କର ତୃତୀୟ ଆଇସିସି ଦିନିକିଆ ବିଶ୍ୱକପ୍‌ ଖେଳିବାକୁ ଯାଉଛନ୍ତି। ଦକ୍ଷିଣ ଆଫ୍ରିକା ଦଳ ଏପର୍ଯ୍ୟନ୍ତ ଥରେ ହେଲେ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିପାରି ନାହିଁ। ଦଳ ଚାରିଥର ସେମିଫାଇନାଲ ପର୍ଯ୍ୟାୟରୁ ବିଦାୟ ନେଇଛି। ଡୁ ପ୍ଲେସି କହିଛନ୍ତି ପୂର୍ବ ବିଶ୍ୱକପ୍‌ ଗୁଡ଼ିକରେ ଆମ୍ଭେମାନେ ନିଜକୁ ଅନ୍ୟମାନଙ୍କଠାରୁ ସ୍ବତନ୍ତ୍ର ମନେକରି ସୁପରମ୍ୟାନ ଭଳି କରି ଦେଖାଇବାକୁ ଚାହିଁଥିଲୁ ଯାହାର ପରଣାମ ଆମକୁ ଭୋଗିବାକୁ ପଡ଼ିଥିଲା। କିନ୍ତୁ ଏଥର ଆମକୁ ଭିନ୍ନ ନୀତି ଆପଣେଇବାକୁ ପଡ଼ିବ। ଦଳର ଆବଶ୍ୟକତାକୁ ନେଇ ଆମେ ପ୍ରତ୍ୟେକଙ୍କୁ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ। ମୋ ନିକଟରେ ଥିବା ଅଭିଜ୍ଞତା ଖେଳାଳିମାନଙ୍କ ଉପରୁ ଚାପ ହଟାଇବା କ୍ଷେତ୍ରରେ ସହାୟକ ହେବ ବୋଲି ୩୪ ବର୍ଷୀୟ ଡୁ ପ୍ଲେସି କହିଛନ୍ତି। ସୂଚନାଯୋଗ୍ୟ, ଡୁ ପ୍ଲେସିଙ୍କ ସମେତ ଦକ୍ଷିଣ ଆଫ୍ରିକା ଦଳ ୭ଜଣ ଖେଳାଳି ୨୦୧୫ ବିଶ୍ୱକପ୍‌ ଖେଳିଛନ୍ତି। ଏହି ସଂସ୍କରଣରେ ଦକ୍ଷିଣ ଆଫ୍ରିକା ରନର୍ସଅପ୍‌ ହୋଇଥିବା ନ୍ୟୁଜିଲାଣ୍ଡଠାରୁ ସେମିଫାଇନାଲରେ ପରାଜିତ ହୋଇଥିଲା। ଲଣ୍ଡନର କେନିଙ୍ଗଟନ ଓଭାଲଠାରେ ମେ ୩୦ତାରିଖରେ ବିଶ୍ୱକପ୍‌ର ଉଦ୍‌ଘାଟନୀ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଆୟୋଜକ ଇଂଲଣ୍ଡ ସହ ମୁକାବିଲା କରିବ।

Share