ସ୍ବାଭିମାନ ଅଞ୍ଚଳରେ ମଣ୍ଡି ଉଦ୍‌ଘାଟନ ସମାବେଶ: କୃଷି ବିକାଶର ବାର୍ତ୍ତା ଦେଲେ କୃଷି ମନ୍ତ୍ରୀ

ଚିତ୍ରକୋଣ୍ଡା, ୨୩।୧୨(ଡି.ଏନ.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ବଡ଼ପଡାଠାରେ ସୋମବାର ମାଣ୍ଡିଆ ମଣ୍ଡି ଉଦ୍‌ଘାଟନ କରିଛନ୍ତି କୃଷିମନ୍ତ୍ରୀ ଡାକ୍ତର ଅରୁଣ କୁମାର ସାହୁ। ଏହି ଅବସରରେ ମନ୍ତ୍ରୀ ମାଣ୍ଡିଆର ଉପକାରିତା ସମ୍ପର୍କରେ ଚାଷୀମାନଙ୍କୁ ବୁଝାଇବା ସହ ସ୍ବାଭିମାନ ଅଞ୍ଚଳରେ ଚାଷୀ ତଥା ଚାଷର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହରହ ଚିନ୍ତା କରୁଛନ୍ତି ବୋଲି ସେ କହିଥିଲେ। ଯେଉଁ ଅଞ୍ଚଳକୁ ଦିନେ ଲୋକ, ସରକାରୀ କର୍ମଚାରୀ ଆସିବାକୁ ଭୟ କରୁଥିଲେ ସେହି ସ୍ବାଭିମାନ ଅଞ୍ଚଳ ବିକାଶ ପାଇଁ ପ୍ରତି ମାସରେ ବିଭିନ୍ନ ବିଭାଗର ମନ୍ତ୍ରୀ ଆସି ପହଞ୍ଚୁଛନ୍ତି। ସ୍ବାଭିମାନ ଅଞ୍ଚଳର ବିକାଶ ପାଇଁ ସରକାରଙ୍କ ଉଦ୍ୟମ ଜାରି ରହିବ ବୋଲି ମନ୍ତ୍ରୀ ମତ ଦେଇଥିଲେ। ମାଣ୍ଡିଆ ଚାଷ ସହିତ ହଳଦୀ, ସୁଆଁ, କାଙ୍ଗୁ, ଖେରଜନା, ପରିବା ଓ ମାଛଚାଷ ଉପରେ ସ୍ବାଭିମାନ ଅଞ୍ଚଳକୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ମନ୍ତ୍ରୀ କହିଥିଲେ। ପରେ ସମସ୍ତ ଅଧିକାରୀ ହଳଦୀ ଚାଷ ଓ ଗୁରୁପ୍ରିୟା ବୁଲି ପରିଦର୍ଶନ କରିଥିଲେ। ବିଭିନ୍ନ ଉନ୍ନୟନମୂଳକ କାମ ଆଗକୁ ନେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର କୃଷି ବିଭାଗୀୟ ପ୍ରିନ୍‌ସିପାଲ ସେକ୍ରେଟାରି ଡାକ୍ତର ସୌରଭ ଗର୍ଗ, ଓଡିଶାର କୃଷି ବିଭାଗୀୟ ନିର୍ଦ୍ଦେଶକ ଡାକ୍ତର ଏମ୍‌. ମୁଥୁକୁମାର, କେବିକେ ପ୍ରଶାସକ ଏସ୍‌ପି ଠାକୁର, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମାଲକାନଗିରି ଜିଲାପାଳ ମନୀଷ ଅଗ୍ରୱାଲ ପ୍ରମୁଖ ଯୋଗଦେଇଥିଲେ।