ସ୍ବାଭିମାନ ଅଞ୍ଚଳ ଅଶାନ୍ତ: ୪ ଗ୍ରାମରେ ପୋଲିସ ଛାଉଣୀ

ମାଲକାନଗିରି,୨୭।୧(ସ୍ବ.ପ୍ର.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳର ଜନ୍ତୁରାଇରେ ମାଓବାଦୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଗତ ୨୫ ତାରିଖରେ ହୋଇଥିବା ଖଣ୍ଡ ଯୁଦ୍ଧରେ ଅଶାନ୍ତ ହୋଇପଡିଛି ଅଞ୍ଚଳ। ମାଓବାଦୀମାନେ ପ୍ରତିଶୋଧ ପରାୟଣ ହୋଇ ଯୋଡ଼ାଆମ୍ବରେ ୧୨ଟି ଘର ଜାଳିଦେଇଥିବା ବେଳେ ଲୋକମାନଙ୍କୁ ଧମକ ଦେଇଥିଲେ। ଉକ୍ତ ଘଟଣା ପରେ ଅଞ୍ଚଳର ଲୋକେ ଭୟଭୀତ ହୋଇପଡିଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଯନ୍ତାପାଇଠାରୁ ଯୋଡ଼ାଆମ୍ବ ପର୍ଯ୍ୟନ୍ତ ପ୍ରାୟ ୨୦ କିଲୋମିଟର ପୋଲିସ ଛାଉଣୀ କରାଯାଇଛି। ହଜାରରୁ ଊର୍ଦ୍ଧ୍ୱ ଯବାନ ଏହି ଅପରେଶନରେ ସାମିଲ ହୋଇଛନ୍ତି। ୪ଟି ଗାଁ ଯୋଡ଼ାଆମ୍ବ, ସିନ୍ଧିଗୁଡ଼ା, ଯନ୍ତରାଇ ଓ ତିକରଗୁଡ଼ାର ଲୋକେ ଏକତ୍ରିତ ହୋଇ ରହିଛନ୍ତି । ଗୋଟିଏ ଜାଗାରେ ରୋଷେଇ କରି ଖାଇବା ସହ ସେଠାରେ ହିଁ ଶୋଉଛନ୍ତି। ଉକ୍ତ ଗ୍ରାମବାସୀ ମାଓବାଦୀଙ୍କ ବିରୋଧରେ ଲଢ଼ିବେ ଓ ବିକାଶରେ ସହଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ମାଲକାନଗିରି ଏସ୍‌ପି ଓ ଜିଲାପାଳ ହାନ୍ତାଳଗୁଡ଼ା ବିଏସ୍‌ଏଫ୍‌ କ୍ୟାମ୍ପରେ ପହଞ୍ଚି ଘରପୋଡ଼ିରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଦେବା ସହ ଗ୍ରାମବାସୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି।

Share