Categories: କନ୍ଧମାଳ

ସ୍ବାମୀଙ୍କୁ ଟାଙ୍ଗିଆରେ ହାଣି ଜେଲ ଗଲେ ସ୍ତ୍ରୀ

ଶଙ୍କରାଖୋଲ/ଟିକାବାଲି, ୮ା୯(ଡି.ଏନ୍‌.ଏ.)-ଚକାପାଦ ଥାନା ପସରା ପଞ୍ଚାୟତର ଗୋଚ୍ଛାବାରି ଗ୍ରାମରେ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ସନ୍ଦେହ କରି ଗୁରୁବାର ରାତିରେ ସ୍ବାମୀଙ୍କୁ ଟାଙ୍ଗିଆରେ ହାଣିଛନ୍ତି ସ୍ତ୍ରୀ। ରାତିସାରା ରକ୍ତ ଜୁଡୁବୁଡୁ ହୋଇ ପଡିଥିବା ରମାକାନ୍ତଙ୍କୁ ଶୁକ୍ରବାର ସକାଳେ ପୋଲିସ ସହାୟତାରେ ଗ୍ରାମବାସୀ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଏନେଇ ଥାନାରେ ନଂ.୪୮/୧୯ରେ ମାମଲା ରୁୁଜୁ କରାଯାଇ ସ୍ତ୍ରୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେ ହେଲେ ସବିତା ବେହେରା। ପ୍ରକାଶ ଯେ, ଗୋଛାବାରି ଗ୍ରାମ ନାଳ ଆରପଟେ ଥିବା ଭଡ୍ରାସିଂ ଗ୍ରାମର ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ନେଇ ରମାକାନ୍ତ ଓ ସ୍ତ୍ରୀ ସବିତାଙ୍କ ମଧ୍ୟରେ ବାରମ୍ବାର ପାଟିତୁଣ୍ଡ ହେଉଥିଲା। ଗୁରୁବାର ରାତିରେ ସ୍ତ୍ରୀ ନାଳ ନିକଟରେ ଏକ ବୁଦାମୂଳେ ଟାଙ୍ଗିଆଧରି ଛପି ରହିଥିଲେ। ପ୍ରାୟ ୧୦ଟାରେ ସମ୍ପୃକ୍ତ ମହିଳାଙ୍କ ଘରୁ ସ୍ବାମୀ ରମାକାନ୍ତ ଫେରୁଥିବାବେଳେ ବେକକୁ ଟାଙ୍ଗିଆରେ ଚୋଟ ପକାଇଥିଲେ। ରମାକାନ୍ତ ତଳେ ପଡିଯାଇଥିଲେ। ମରିଗଲା ବୋଲି ଭାବି ସବିତା ପଳାଇ ଆସିଥିଲେ। ଶୁକ୍ରବାର ସକାଳେ ଗୋଛାବାରି ଗ୍ରାମର ଲୋକମାନେ ନାଳକୁ ଗାଧୋଇବାକୁ ଯିବାବେଳେ ରମାକାନ୍ତଙ୍କୁ ପଡିଥିବା ଦେଖି ତାଙ୍କ ସାନ ଭାଇ ଓ ଥାନାକୁ ଜଣାଇଥିଲେ। ଚକାପାଦ ପୋଲିସ ପହଞ୍ଚତ୍ ତଦନ୍ତ କରିଥିବା ବେଳେ ଚକାପାଦ ଥାନାରେ ରମାକାନ୍ତଙ୍କ ସାନଭାଇ ନଳନୀ ଏତଲା ଦେଇଥିଲେ।