ସ୍ବାମୀଙ୍କ ଦଶାହରେ ସ୍ତ୍ରୀଙ୍କ ଆତ୍ମହତ୍ୟା, ଭଣଜା ଅଟକ

ଆନନ୍ଦପୁର,୩୦।୧୦(ସ୍ବ.ପ୍ର.)- କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ହରିପୁରା ଗ୍ରାମରେ ସ୍ବାମୀଙ୍କ ଦଶାହରେ ସ୍ତ୍ରୀଙ୍କ ଆତ୍ମହତ୍ୟା କରିଛନ୍ତି। ସେହିଭଳି ଉକ୍ତ ବ୍ୟକ୍ତିଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ନେଇ ପୋଲିସ ଭଣଜାଙ୍କୁ ଅଟକ ରଖି ପଚରାଉଚରା କରିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ରାସ୍ତା କଡରୁ ହରିପୁର ଗ୍ରାମର ଗୋବର୍ଦ୍ଧନ ନାଥଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କର ମୁଣ୍ଡରେ ଗଭୀର କ୍ଷତ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କର ଗୋବର୍ଦ୍ଧନଙ୍କ ବାପା ବୈଲୋଚନ ନାଥ ରାମଚନ୍ଦ୍ରପୁର ଥାନାରେ ଏକ ହତ୍ୟା ଅଭିଯୋଗ କରିଥିଲେ। ପୋଲିସ ୧୬୭/୧୯ ରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବାବେଳେ ମୃତକଙ୍କ ଭଣଜାକୁ ଅଟକ ରଖି ପଚାରାଉଚୁରା କରାଯାଉଛି। ଅନ୍ୟପଟେ ମୃତ ଗୋବର୍ଦ୍ଧନଙ୍କ ସ୍ତ୍ରୀ ମାମା ବେକରେ ଦଉଡି ଦେଇ ଆତ୍ମହତ୍ୟା କରିବା ଘଟଣା ପୋଲିସ ସନ୍ଦେହକୁ ଅଧିକ ମଜଭୁତ କରିଛି। ବୁଧବାର ଏନେଇ ଖବରପାଇ ପୋଲିସ ହରିପୁର ଗ୍ରାମରେ ପହଞ୍ଚି ଆତ୍ମହତ୍ୟା କରିଥିବା ମହିଳାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରାମଚନ୍ଦ୍ରପୁର ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ସ୍ବାଇଁଙ୍କ କହିବା ଅନୁଯାୟୀ, ଗୋବର୍ଦ୍ଧନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହେବା ପରେ ଭଣଜାକୁ ଅଟକ ରଖିଯାଇ ପଚରାଉଚୁରା କରାଯାଉଛି। ତେବେ ଏହା ମାଇଁ ସହିତ ଭଣଜାର ଅନୈତିକ ସମ୍ପର୍କ ଥିବା ଅନୁମାନ କରାଯାଉଛି। ଭଣଜାଙ୍କୁ ଥାନାକୁ ଆଣିବା ପରେ ଲୋକଲଜ୍ୟା ଭୟରେ ମାଇଁ ଏଭଳି ଉଦ୍ୟମ କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ସମସ୍ତ ଘଟଣା ପଦାକୁ ଆସିବ ବୋଲି ଆଇଆଇସି ସୂଚନା ଦେଇଛନ୍ତି।

Share