ସ୍ବାମୀଙ୍କ ସହ ମିଶି ମାକ୍ସ ତିଆରି କରି ବାଣ୍ଟୁଛନ୍ତି ଶାନ୍ତିଲତା

ସୁନ୍ଦରଗଡ଼,୨୮ା୪(ଡି.ଏନ୍‌.ଏ.)-କରୋନା ସଂକ୍ରମଣକୁ ରୋକିବା ପାଇଁ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏପରି ପରିସ୍ଥିତିରେ ସମସ୍ତଙ୍କ ପାଖରେ ମାକ୍ସ ପହଞ୍ଚାଇବା ପାଇଁ ଅଣ୍ଟା ଭିଡିଛନ୍ତି ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ ଓ ଭାଜପା ନେତ୍ରୀ ଶାନ୍ତିଲତା ସରାଫ । ନିଜ ଖର୍ଚ୍ଚରେ ମାକ୍ସ ତିଆରି କରୁଛନ୍ତି । ଯେଉଁ ଲୋକମାନେ ମାକ୍ସ କିଣିବାକୁ ଅସମର୍ଥ ତାଙ୍କୁ ତାହା ପ୍ରଦାନ କରୁଛନ୍ତି । ଏଥିସହିତ ମାକ୍ସର ବ୍ୟବହାର, କରୋନା ପାଇଁ କ’ଣ ସବୁ ସତର୍କତା ଅବଲମ୍ବନ କରାଯିବ ସେ ସଂକ୍ରାନ୍ତରେ ବୁଝାଉନ୍ତି । ସରକାରୀ କଟକଣାକୁ ମାନିବା, ଘରୁ ପଦାକୁ ବାହାରିଲେ ମାକ୍ସ ପିନ୍ଧିବା ,ହାତକୁ ଭଲ ଭାବେ ଧୋଇବା ଓ ସାମାଜିକ ଦୂରତ୍ୱକୁ ବଜାୟ ରଖିବାକୁ ସେ ବୁଲି ବୁଲି ସଚେତନ କରୁଛନ୍ତି। ଘର କାମ ସରିବା ପରେ ଶାନ୍ତିଲତାଙ୍କ ସିଲେଇ ମେଶିନ୍‌ ଚଳଚଞ୍ଚଳ ହୋଇ ଉଠୁଛି । ସେ ସ୍ବାମୀଙ୍କ ସହ ମିଶି ମାକ୍ସ ତିଆରି କରୁଛନ୍ତି । କେବଳ ସେତିକି ନୁହେଁ, କରୋନା ଯୁଦ୍ଧରେ ସାମିଲ ଥିବା ଡାକ୍ତର, ନର୍ସ ,କର୍ମଚାରୀ ,ଗଣମାଧ୍ୟମ ପ୍ରତିନିଧି ଓ ସାମାଜିକ କର୍ମୀଙ୍କୁ ବି ସେ ମାକ୍ସ ବଣ୍ଟନ କରୁଛନ୍ତି । ତାଙ୍କୁ ଏହି କାମରେ ସାହାର୍ଯ୍ୟ କରୁଛନ୍ତି ସ୍ବାମୀ ପଦ୍ମଲୋଚନ ସରାଫ । ବର୍ତ୍ତମାନ ସୁଦ୍ଧା ସେ ୨୦୦୦ରୁ ଊର୍ଦ୍ଧ୍ୱ ମାକ୍ସ ତିଆରି କରି ବାଣ୍ଟି ସାରିଥିବା ସେ କହିଛନ୍ତି ।