ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ପାଟିତୁଣ୍ଡ କିଛି ନୂଆ କଥା ନୁହେଁ। କୁହାଯାଏ ଛୋଟବଡ଼ ପାଟିତୁଣ୍ଡ ପ୍ରେମ ସମ୍ପର୍କକୁ ମଜବୁତ କରିଥାଏ। ହେଲେ ଅନେକ ସମୟରେ ଏହି ପାଟିତୁଣ୍ଡ ଏତେ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଯାଏ ଯାହାର କଳ୍ପନା ମଧ୍ୟ କରିହେବ ନାହିଁ। ଏମିତି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଗୋରଖପୁର ସହରରେ। ଏଠାରେ ଏକ ଦମ୍ପତ୍ତିଙ୍କ ମଧ୍ୟରେ ଅଣ୍ଡା ଖାଇବାକୁ ନେଇ ପାଟିତୁଣ୍ଡ ହୋଇଥିଲା। କଥାଟି ଏତେ ବଢ଼ିଗଲା ଯେ ଏହି ଅଣ୍ଡା ପାଇଁ ସ୍ତ୍ରୀ ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ।
ଗୋରଖପୁର କେପିଅରଗଞ୍ଜରେ ରୁହନ୍ତି ଏହି ଦମ୍ପତ୍ତି। ସ୍ବାମୀ ଜଣେ ଦିନ ମଜୁରିଆ। ଏଣୁ ଘରର ଆର୍ଥିକ ସ୍ଥିତି ସେତେଟା ଭଲ ନୁହେଁ। ମାତ୍ର ସ୍ତ୍ରୀ ଅଣ୍ଡା ପ୍ରେମୀ। ତାଙ୍କ ପାଇଁ ସବୁଦିନ ଅଣ୍ଡା ଆଣିବା ସ୍ବାମୀଙ୍କ ପକ୍ଷେ ସମ୍ଭବ ହୋଇପାରେ ନାହିଁ। ଏକଦା ସ୍ବାମୀ ଅଣ୍ଡା ନ ଆଣି ଘରକୁ ଆସିଥିଲେ। ଏହାକୁ ନେଇ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ସ୍ତ୍ରୀ ରାଗିଯାଇ ପ୍ରେମିକଙ୍କ ସହ ଘର ଛାଡି ପଳାଇଲେ। ତେବେ ଏହା ପ୍ରଥମ ନୁହେଁ। ୪ ମାସ ପୂର୍ବେ ମଧ୍ୟ ସମାନ ଘଟଣା ଘଟିଥିଲା। ଅଣ୍ଡା ଖାଇବାକୁ ସ୍ବାମୀ ନ ଦେବାରୁ ପାଟିତୁଣ୍ଡ ହୋଇଥିଲା। ଉକ୍ତ ସମୟରେ ମହିଳା ସ୍ବାମୀଙ୍କୁ ଛାଡି ପ୍ରେମିକଙ୍କ ସହ ଚାଲିଯାଇଥିଲେ। ମାତ୍ର ପରେ ପୁଣି ଫେରିଆସିଥିଲେ।
ସ୍ବାମୀଙ୍କ କହିବା ଅନୁସାରେ, ସ୍ତ୍ରୀ ପାଇଁ ସବୁଦିନ ଅଣ୍ଡା କିଣିକି ଆଣିବା ସମ୍ଭବ ନୁହେଁ। ଯାହାର ଫାଇଦା ଉଠାଇଥାଏ ସ୍ତ୍ରୀର ପ୍ରେମିକ। ସେ ସବୁଦିନ ତା ପାଇଁ ଅଣ୍ଡା ଆଣି ଆସିଥାଏ। ତେଣୁ ସେ ପୁଣିଥରେ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି। ଏ ନେଇ ସ୍ବାମୀ ଥାନାରେ କେସ୍ କରିଛନ୍ତି। ପୋଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି।