ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟରୁ ଜାମିନ

ବାଲିଗୁଡା,୬ା୧୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଜଲେଶପଟ୍ଟା ଆଶ୍ରମରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ୨୦୦୮, ଅଗଷ୍ଟ ୨୩ରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ୫ ଅଭିଯୁକ୍ତଙ୍କୁ ଫୁଲବାଣୀ ଜିଲା କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଫଳରେ ଅଭିଯୁକ୍ତମାନେ ଜେଲ୍‌ରେ ଥିଲେ। ଏବେ ସେମାନଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଛି। ଦୁର୍ଯ୍ୟୋଧନ ସୁନାମାଝି, ଭାସ୍କର ସୁନାମାଝି ଓ ମୁଣ୍ଡା ବଡମାଝି ମୁକୁଳିଛନ୍ତି। ଅନ୍ୟ ୨ଜଣ ବୁଦ୍ଧଦେବ ନାୟକ ଭଞ୍ଜନଗର ଜେଲ୍‌ ଓ ସନାତନ ବଡ଼ମାଝି ଏମ୍‌. ରାମପୁର ଜେଲରୁ ମୁକୁଳିବେ। ଅଭିଯୁକ୍ତମାନେ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା ବେଳେ ରାଜ୍ୟ ମିଥ୍ୟା ମୋକଦ୍ଦମା ବିରୋଧୀ ଅଭିଯାନ ଓ ଖବରଦାତାଙ୍କ ପକ୍ଷରୁ ଉଭୟ ରାଜ୍ୟ ଓ ଜାତୀୟସ୍ତରରେ ଏମାନଙ୍କୁ ମୁକ୍ତି ଦେବାକୁ ପ୍ରୟାସ କରାଯାଇଥିଲା। ଗତ ୨୬ ତାରିଖ ସମ୍ବିଧାନ ଦିବସରେ ସୁପ୍ରିମକୋର୍ଟ ଏହି ୫ ଅଭିଯୁକ୍ତଙ୍କୁ ଜାମିନ ଦେଇଥିଲେ। ଗୁରୁବାର ବାଲିଗୁଡା ଉପଖଣ୍ଡ କାରାଗାରରେ ସଜା କାଟୁଥିବା ଦୁର୍ଯ୍ୟୋଧନ, ଭାସ୍କର ଓ ମୁଣ୍ଡା ମୁକୁଳିଛନ୍ତି। ଅନ୍ୟ ୨ଜଣ ବୁଦ୍ଧଦେବ ଓ ସନାତନ ମୁକୁଳିବେ ବୋଲି ଜଣାପଡିଛି । ଦୀର୍ଘ ୧୧ ବର୍ଷ ପରେ ଜାମିନ ପାଇଥିବାରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ବାଗତ କରିବା ସହ ଆଗାମୀ ଦିନରେ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବେ ବୋଲି ପ୍ରତିକ୍ରିୟାରେ ଦୁର୍ଯ୍ୟୋଧନ, ଭାସ୍କର ଓ ମୁଣ୍ଡା କହିଛନ୍ତି।

Share