Categories: ଖେଳ

ସ୍ବାର୍ଥନିହିତ ଦ୍ୱନ୍ଦ୍ୱ ମାମଲାରୁ କପିଳଦେବ ମୁକ୍ତ

ନୂଆଦିଲ୍ଲୀ, ୧୭ା୨ (ପି.ଟି.)-ଭାରତର ପୂର୍ବତନ କ୍ରିକେଟ ଅଧିନାୟକ କପିଳଦେବ ସ୍ବାର୍ଥନିହିତ ଦ୍ୱନ୍ଦ୍ୱ ମାମଲାରୁ ମୁକ୍ତ ହୋଇଛନ୍ତିି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏଥିକ୍ସ ଅଫିସର ଡି.କେ. ଜୈନ ରବିବାର ଏହା ସ୍ପଷ୍ଟ କରିଛନ୍ତି। କପିଳ ଦେବ କ୍ରିକେଟରେ ଏକାଧିକ ପଦବୀରେ କାର୍ଯ୍ୟ କରୁଥିଲେ। ବିସିସିଆଇର ନୂଆ ସମ୍ବିଧାନ ଅନୁସାରେ ତାଙ୍କ ବିରୋଧରେ ସ୍ବାର୍ଥନିହିତ ଦ୍ୱନ୍ଦ୍ୱ ଅଭିଯୋଗ ଆସିବାରୁ ସେ ଏକାଧିକ ପଦବୀରେ କାର୍ଯ୍ୟ କରିବାରୁ ଓହରି ଯାଇଥିଲେ। ପୂର୍ବରୁ ଶାନ୍ତା ରଙ୍ଗାସ୍ବାମୀ ଏବଂ ଅଂଶୁମାନ ଗାଏକ୍ୱାଡଙ୍କ ବିରୋଧରେ ସମାନ ଅଭିଯୋଗ ଆସିଥିଲା। ଜୈନ ଗତ ଡିସେମ୍ବରରେ ସେମାନଙ୍କୁ ସ୍ବାର୍ଥ ନିହିତ ମାମଲାରୁ ମୁକ୍ତ କରିଥିଲେ। ଏହି ୩ ଜଣ କ୍ରିକେଟ ଉପଦେଷ୍ଟା କମିଟିର ସଦସ୍ୟ ଥିଲେ। ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏଶନ (ଏମ୍‌ପିସିଏ)ର ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା ସେମାନଙ୍କ ବିରୋଧରେ ସ୍ବାର୍ଥନିହିତ ଦ୍ୱନ୍ଦ୍ୱ ଅଭିଯୋଗ ଆଣିଥିଲେ। ଏଥିକ୍ସ ଅଫିସର ଗତ ଡିସେମ୍ବର ୨୭ ଓ ୨୮ରେ ମୁମ୍ବାଇରେ ବ୍ୟକ୍ତିଗତ ଶୁଣାଣି ପାଇଁ ରଙ୍ଗାସ୍ବାମୀ, ଗାଏକ୍ୱାଡ ଏବଂ କପିଳଦେବଙ୍କୁ ଡକାଇଥିଲେ। ବିଶ୍ୱକପ୍‌ ବିଜୟୀ ଅଧିନାୟକ କିନ୍ତୁ ବ୍ୟକ୍ତିଗତ କାରଣ ଦର୍ଶାଇ ଆସି ନ ଥିଲେ। ବିସିସିଆଇ ସମ୍ବିଧାନ ଅନୁସାରେ କୌଣସି ବ୍ୟକ୍ତି ଏକକାଳୀନ ଏକାଧିକ ପଦବୀରେ ରହିପାରିବେ ନାହିଁ।

Share