Categories: ଖେଳ

ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଧାରା ସଂଶୋଧନ ନେଇ ସିଓଏର ପ୍ରସ୍ତାବ

ନୂଆଦିଲ୍ଲୀ,୧୬।୧୦(ପି.ଟି.) – ଖୁବ୍‌ ଶୀଘ୍ର ପୂର୍ବତନ କ୍ରିକେଟରମାନଙ୍କୁ କ୍ରିକେଟ ପ୍ରଶାସନରେ ଏକାଧିକ ଭୂମିକାରେ ଦେଖିବାକୁ ମିଳିବ। ଏନେଇ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଧାରା ଅନ୍ତରାୟ ସୃଷ୍ଟି କରିଆସୁଛି। ଏହାକୁ ପ୍ରଶାସକ କମିଟି (ସିଓଏ)ହୃଦୟଙ୍ଗମ କରିଛି। ଫଳରେ ଏହି ବିବାଦୀୟ ଧାରାରେ ସୁଧାର ଆଣିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ବିଧାନରେ ସଂଶୋଧନ ପାଇଁ ସିଓଏ ଏବେ ପ୍ରସ୍ତାବ ଦେଇଛି।
ବର୍ତ୍ତମାନର ସମ୍ବିଧାନ ଅନୁଯାୟୀ କୌଣସି ବ୍ୟକ୍ତି କ୍ରିକେଟ ପ୍ରଶାସନରେ ଏକାଧିକ ପଦରେ ରହି କାର୍ଯ୍ୟ ପାରିବେ ନାହିଁ। ଏହି ବିବାଦୀୟ ଧାରା ପାଇଁ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି, ଭିଭିଏସ୍‌ ଲକ୍ଷ୍ମଣ ଓ କପିଲ ଦେବଙ୍କ ବିରୋଧରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱର ଅଭିଯୋଗ ଆସିଥିଲା।
ସିଓଏ ସୋମବାର ସୁପ୍ରିମକୋର୍ଟରେ ଅନ୍ତିମ ତଥା ୧୧ତମ ଷ୍ଟାଟସ ରିପୋର୍ଟ ପ୍ରଦାନ କରିଛି। ଏ ନେଇ ବିସିସିଆଇ ସମ୍ବିଧାନରେ ଥିବା ନିୟମ ୩୮(୪)ରେ ସଂଶୋଧାନ ଆଣିବାକୁ ସିଓଏ ଏହି ରିପୋର୍ଟରେ ପ୍ରସ୍ତାବ ଦେଇଛି। ଯଦି ଏହି ପ୍ରସ୍ତାବକୁ ସୁପ୍ରିମକୋର୍ଟ ଗ୍ରହଣ କରନ୍ତି ତା’ହେଲେ ପୂର୍ବତନ କ୍ରିକେଟରମାନଙ୍କ ପାଇଁ ସୁଯୋଗ ସୃଷ୍ଟି ହେବ। ବିସିସିଆଇ ତଥା ରାଜ୍ୟ ଆସୋସିଏଶନଗୁଡିକ ପାଇଁ ୨ ବର୍ଷରୁ କମ୍‌ ସମୟ ପାଇଁ ଚୁକ୍ତି କରିଥିବା ପୂର୍ବତନ ଖେଳାଳିମାନେ ଏକାଧିକ ଭୂମିକାରେ ରହିପାରିବେ। ଉଦାହରଣ ସ୍ବରୂପ କ୍ରିକେଟ ଉପଦେଷ୍ଟା କମିଟି (ସିଏସି)ରେ ସାମିଲ ହୋଇଥିବା ସଦସ୍ୟମାନେ ଭାଷ୍ୟକାର ରୂପେ କାର୍ଯ୍ୟ କରିପାରିବେ।
ନିଜ କାର୍ଯ୍ୟକାଳରେ ସିଓଏ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ନେଇ ଏକାଧିକ ଘଟଣା ସମ୍ମୁଖୀନ ହୋଇଥିଲା। ଆସନ୍ତା ୨୩ ତାରିଖରେ ବିସିସିଆଇ ନିର୍ବାଚନ ହେବା ପରେ ସିଓଏ କୌଣସି କାର୍ଯ୍ୟ ରହିବ ନାହିଁ ଓ ଏହା ନିଷ୍କ୍ରିୟ ହେବ। ଏହି ଧାରା ଦ୍ୱାରା ଅଭିଜ୍ଞ ଓ ଦକ୍ଷ ପ୍ରଶାସକଙ୍କୁ ବୋର୍ଡର ବିଭିନ୍ନ ପଦରେ କାର୍ଯ୍ୟ କରିବାର ସୁଯୋଗ ମିଳିପାରୁ ନ ଥିଲା। ସିଓଏର ଏହି ପ୍ରସ୍ତାବ ଗୃହୀତ ହେଲେ ବିସିସିଆଇ ସହିତ ଲମ୍ବା ଚୁକ୍ତି କରି ନ ଥିବା ପୂର୍ବତନ କ୍ରିକେଟରମାନେ କ୍ରିକେଟ ପ୍ରଶାସନରେ ଏକାଧିକ ଦାୟିତ୍ୱରେ ରହିପାରିବେ। ତେବେ ସୁପ୍ରିମକୋର୍ଟ ସିଓଏର ଏହି ପ୍ରସ୍ତାବକୁ କେତେ ଗୁରୁତ୍ୱ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Share