Categories: ଖେଳ

ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ: ୧୨ରେ ହାଜର ହେବାକୁ ଡ୍ରାଭିଡଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧।୧୧(ପି.ଟି.)- ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ପୂର୍ବତନ କ୍ରିକେଟର ତଥା ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ନିର୍ଦ୍ଦେଶକ ରାହୁଲ ଡ୍ରାଭିଡଙ୍କ ପିଛା ଛାଡୁନାହିଁ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏଥିକ୍ସ ଅଫିସର ଡି.କେ. ଜୈନ ତାଙ୍କୁ ଏ ସଂକ୍ରାନ୍ତରେ ଆସନ୍ତା ୧୨ ତାରିଖ ଦିନ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି। ଗତ ସେପ୍ଟେମ୍ବର ୨୬ ତାରିଖରେ ୪୬ ବର୍ଷୀୟ ଡ୍ରାଭିଡ ଏ ନେଇ ଶୁଣାଣିରେ ଉପସ୍ଥିତ ରହି ସଫେଇ ଦେଇଥିଲେ। ଡ୍ରାଭିଡ୍‌ ଏନ୍‌ସିଏର ନିର୍ଦ୍ଦେଶକ ରହିବା ସହ ଇଣ୍ଡିଆ ସିମେଣ୍ଟ୍ସ ଗ୍ରୁପ୍‌ର ଭାଇସ୍‌ ପ୍ରେସିଡେଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି। ଇଣ୍ଡିଆ ସମେଣ୍ଟ୍ସ କମ୍ପାନୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗ୍ସର ମାଲିକ ରହିଛି। କେବଳ ସେତିକି ନୁହଁ ଏନ୍‌ସିଏରେ କାର୍ଯ୍ୟ କରିବା ପୂର୍ବରୁ ସେ ମଧ୍ୟ ଭାରତ ଏ ଓ ୧୯ ବର୍ଷରୁ କମ୍‌ ଦଳର ହେଡ୍‌ କୋଚ୍‌ ରହିଥିଲେ। ଏଥିପାଇଁ ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏଶନ (ଏମ୍‌ପିସିଏ) ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଡ୍ରାଭିଡଙ୍କ ସହ ଗୁପ୍ତା ମଧ୍ୟ ଶୁଣାଣିରେ ଉପସ୍ଥିତ ରହିବେ। ଡ୍ରାଭିଡ ଅବଶ୍ୟ ଏ ନେଇ ତାଙ୍କର ପକ୍ଷ ରଖିଛନ୍ତି ଓ ସଫେଇ ଦେଇଛନ୍ତି। ସେ ଇଣ୍ଡିଆ ସିମେଣ୍ଟ୍ସରୁ ଲିଭ୍‌ ଅଫ୍‌ ଆବସେନ୍ସ ନେଇଛନ୍ତି। ତେଣୁ ଚେନ୍ନାଇ ସୁପର କିଙ୍ଗ୍ସ ସହ ତାଙ୍କର କୌଣସି ଯାଏ ଆସେ ନାହିଁ ବୋଲି ସେ କହିଥିଲେ। ୧୨ ତାରିଖ ଦିନ ଶୁଣାଣି ପାଇଁ ହାଜର ହେବା ପରେ ଡ୍ରାଭିଡଙ୍କୁ ନେଇ ଚାଲିଥିବା ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ମମଲାର ଅନ୍ତ ଘଟିବ ବୋଲି ଆଶା କରାଯାଉଛି। ଉଲ୍ଲେଖଥାଉ କି, ବିସିସିଆଇ ନୂଆ ସମ୍ବିଧାନ ଅନୁଯାୟୀ ଜଣେ ବ୍ୟକ୍ତି ଏକା ସମୟରେ କେବଳ ଗୋଟିଏ ପଦରେ ରହି କାର୍ଯ୍ୟ କରିପାରିବେ। ଏକରୁ ଊର୍ଦ୍ଧ୍ୱ ପଦରେ ରହି କାର୍ଯ୍ୟକଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱର ଅଭିଯୋଗ ଆସିବ।

Share