Categories: ଖେଳ

ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ନେଭିଲେଙ୍କ ହୋଟେଲ ଫ୍ରି

ଲଣ୍ଡନ, ୧୯।୩- ମାରାତ୍ମକ କରୋନା ଭାଇରସ୍‌ ବିଶ୍ୱରେ ଏହାର କାୟା ବିସ୍ତାର କରି ଚାଲିଛି। ଏଭଳି ଏକ ଦୁର୍ଦ୍ଦିନ ସମୟରେ ଇଂଲଣ୍ଡ ତଥା ମାଞ୍ଚେଷ୍ଟର ୟୁନାଇଟେଡ୍‌ର ପୂର୍ବତନ ଫୁଟ୍‌ବଲ ଖେଳାଳି ଗ୍ୟାରୀ ନେଭିଲେ ସହାୟତାର ହାତ ବଢ଼ାଇଛନ୍ତି। ନ୍ୟାଶନାଲ ହେଲ୍‌ଥ ସର୍ଭିସ (ଏନ୍‌ଏଚ୍‌ଏସ୍‌) ଷ୍ଟାଫ୍‌ଙ୍କ ଲାଗି ନେଭିଲେ ମାଞ୍ଚେଟରରେ ଥିବା ନିଜର ୨ଟି ହୋଟେଲରେ ମାଗଣା ରହିବା ବ୍ୟବସ୍ଥା ଉପଲବ୍ଧ କରିଛନ୍ତି। ଏହି ହୋଟେଲ ୨ଟି ଏବେ ସାଧାରଣ ଲୋକଙ୍କ ପାଇଁ ବନ୍ଦ ହୋଇଯାଇଛି। ଦୁଇଟି ଯାକ ହୋଟେଲରେ ୧୭୬ ବେଡ୍‌ ରହିଛି, ଯେଉଁଥିରେ ଏନ୍‌ଏଚ୍‌ଏସ୍‌ ଓ ଅନ୍ୟ ମେଡିକାଲ ଷ୍ଟାଫ୍‌ ମାଗଣାରେ ରହିପାରିବେ ବୋଲି ଏହି ଡିଫେଣ୍ଡର ଖେଳାଳି ଘୋଷଣା କରିଛନ୍ତି। ସାଧାରଣଙ୍କ ଲାଗି ହୋଟେଲ ବନ୍ଦ ହୋଇଯାଇଥିଲେ ମଧ୍ୟ ଏହାର କର୍ମଚାରୀ ସେଠାରେ ରହି ଡାକ୍ତର, ନର୍ସ, ମେଡିକାଲ ଷ୍ଟାଫ୍‌ଙ୍କୁ ସର୍ଭିସ ଯୋଗାଇବେ। ‘ଏହା ଏଭଳି ଏକ ସମୟ ଯେତେବେଳେ କି ସମଗ୍ର ଉଦ୍ଦ୍ୟୋଗ ଜଗତ ଏକଜୁଟ ହେବା ଆବଶ୍ୟବ ରହିଛି। ସେହି ଲୋକମାନଙ୍କ ପାଇଁ ଯେଉଁମାନେ ଆଗାମୀ ଦିନରେ ଅଧିକ ଆବାସ ଆବଶ୍ୟକ କରିବେ’ ବୋଲି ନେଭିଲେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବତନ ସାଥୀ ଖେଳାଳି ର଼୍ୟାନ୍‌ ଗିଜିଙ୍କ ସହ ମିଶି ନେଭିଲେ ଏହି ୨ଟି ହୋଟେଲ ପ୍ରତିଷ୍ଠା କରିଛନ୍ତି। ଓଲ୍ଡ ଟ୍ରାଫୋର୍ଡରେ ‘ହୋଟେଲ ଫୁଟ୍‌ବଲ’ ଏବଂ ସିଟି ସେଣ୍ଟରରେ ‘ଦି ଷ୍ଟାକ୍‌ ଏକ୍ସଚେଞ୍ଜ ହୋଟେଲ’ ନାମରେ ଏହି ୨ଟି ହୋଟେଲ ରହିଛି।

Share