ସ୍ବାସ୍ଥ୍ୟକର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

କେନ୍ଦ୍ରାପଡା ଅଫିସ, ୧୬।୪-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ରାପଡା ଜିଲାରେ ୩୦୦ରୁ ଅଧିକ ଅସ୍ଥାୟୀ ଚିକିତ୍ସାଳୟ, ସଙ୍ଗରୋଧ ଗୃହ ପ୍ରସ୍ତୁତ ହୋଇଛି। ଏହି ଚିକିତ୍ସା ଓ ସଙ୍ଗରୋଧ କେନ୍ଦ୍ରରେ କାର୍ଯ୍ୟ ପାଇଁ ଅସ୍ଥାୟୀ ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ମିଳିଛି। ମାତ୍ର ଏହି ନିଯୁକ୍ତିରେ ଅନିୟମିତତା ହୋଇଥିବା ଜିଲାପାଳଙ୍କ ନିକଟରେ ବୁଧବାର ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଅଭିଯୋଗକାରୀ ସାବିତ୍ରୀ ଲେଙ୍କା କହିଛନ୍ତି, ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନିଯୁକ୍ତି ସମ୍ପର୍କରେ ଗତ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତିରେ ବୟସସୀମା ନିର୍ଦ୍ଧାରଣ କରାଯାଇ ନ ଥିବା ବେଳେ କେନ୍ଦ୍ରାପଡା ସିଡିଏମଓଙ୍କ ଦ୍ୱାରା ମାର୍ଚ୍ଚ ୨୭ରେ ପ୍ରକାଶିତ ବିଜ୍ଞପ୍ତିରେ ବୟସସୀମା ଅବଧି ଥିଲା। ସେହିପରି ଜିଲା ବାହାରୁ କେତେକ ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ମିଳିଥିବାରୁ କେନ୍ଦ୍ରାପଡ଼ା ଜିଲାର ଲୋକ ଏଥିରୁ ବଞ୍ଚତ୍ତ ହୋଇଛନ୍ତି ବୋଲି ଅଭିଯୋଗକାରୀ ଲେଙ୍କା ପ୍ରକାଶ କରିଛନ୍ତି। ଜିଲାପାଳଙ୍କୁ ପ୍ରଦାନ କରାଯାଇଥିବା ଏହି ଅଭିଯୋଗ ପତ୍ରରେ ସ୍ମରଣିକା ସ୍ବାଇଁ, ଲୋପାମୁଦ୍ରା ନାୟକ, ବବିତା ନାୟକଙ୍କ ସମେତ ୧୦ରୁ ଊର୍ଦ୍ଧ୍ୱ ନିଯୁକ୍ତି ଆଶାୟୀଙ୍କ ଦସ୍ତଖତ ରହିଛି।

Share