ସ୍ବାସ୍ଥ୍ୟକେନ୍ଦ୍ରରୁ ବାଇକ୍‌ ଚୋରି ଘଟଣା: ଜେଲ ଗଲେ ୩ ଅଭିଯୁକ୍ତ

ରୂପ୍‌ସା, ୭।୯(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରୁ ଜଣେ ସ୍ବାସ୍ଥ୍ୟ ପରିଦର୍ଶକଙ୍କ ବାଇକ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ରୂପ୍‌ସା ଥାନାଧିକାରୀ ସୁଚନ୍ଦ୍ର ମହାଳିକ ଶନିବାର ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ହେଲେ ବସ୍ତା ଥାନା ଏକଡାଳିଆ ଗ୍ରାମର ଭବେଶ ଗିରି, ମନ୍ଦରଡ଼ା ଗ୍ରାମର ପ୍ରଶାନ୍ତ ମହାନ୍ତି ଓ ଜୁଣବଳଦା ଗ୍ରାମର ଲକ୍ଷ୍ମୀଧର ଦାସ।
ଗତ ୪ତାରିଖରେ ରସାଳପୁର ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ପରିଦର୍ଶକ କୃଷ୍ଣଚନ୍ଦ୍ର ବେହେରା ରୂପ୍‌ସା ସ୍ବାସ୍ଥ୍ୟକେନ୍ଦ୍ରକୁ ମାସିକ ରିପୋର୍ଟ ଦେବା ପାଇଁ ଆସିଥିଲେ। ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ତାଙ୍କ ବାଇକ୍‌ (ନଂ. ଓଆର୍‌୦୧ଏଚ୍‌-୭୧୪୬) ଓ ହେଲମେଟ୍‌ ରଖିଥିଲେ। ଅଭିଯୁକ୍ତ ଭବେଶ ଓ ପ୍ରଶାନ୍ତ ଆସି ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରୁ ବାଇକ୍‌ ଓ ହେଲମେଟ୍‌ ନେଇ ଚମ୍ପଟ ମାରିଥିବା ପୋଲିସ ସମ୍ମୁଖରେ ସ୍ବୀକାର କରିଛନ୍ତି। ଏହି ଚୋରି ବାଇକ୍‌କୁ ଲକ୍ଷ୍ମୀଧର ଦାସଙ୍କୁ ବିକ୍ରି କରାଯାଇଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ସମସ୍ତ ଅଭିଯୁକ୍ତଙ୍କୁ ସେମାନଙ୍କୁ ଘରୁ ଗିରଫ କରାଯାଇଥିଲା। ହେଲମେଟ୍‌ ଓ ବାଇକ୍‌ ଉଦ୍ଧାର କରାଯାଇଛି। ଏନେଇ ଥାନାରେ ଏକ ମାମଲା (ନଂ. ୬୧/୧୯) ରୁଜୁ ହୋଇ ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତମାନେ ବାଇକ୍‌ ଚୋରି କରିବାର ଦୃଶ୍ୟ ସିସିଟିଭି ଫୁଟେଜ୍‌ରେ କଏଦ ହୋଇଥିଲା।