ସ୍ବାସ୍ଥ୍ୟକେନ୍ଦ୍ରରେ ରହିଲାନି ସାମାଜିକ ଦୂରତ୍ୱ

ରତ୍ନଗିରି,୮।୪(ଡି.ଏନ.ଏ): ସାମାଜିକ ଦୂରତ୍ୱ ରକ୍ଷା କରବା ପାଇଁ ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଛି। ଏହାକୁ ପାଳନ କରା ନ ଗଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ରହିଛି। ପୋଲିସ ପ୍ରଶାସନ ବିଭିନ୍ନ ବ୍ୟବସାୟିକ ପେଣ୍ଠସ୍ଥଳ, ହାଟ, ବଜାରରେ ବ୍ୟାପକଭାବେ ଚଢାଉ କରି ସାମାଜିକ ଦୂରତ୍ୱ ରଖୁ ନ ଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ସ୍ବାସ୍ଥ୍ୟକେନ୍ଦ୍ରରେ। ସୂଚନା ଯେ, ବରୀ ବ୍ଲକ ଅଧୀନ ଅରଙ୍ଗାବାଦ ପଞ୍ଚାୟତରେ ରହିଛି କସ୍ତୁରବା ମାତୃମଙ୍ଗଳ କେନ୍ଦ୍ର (ସେବାଘର)। ଏଠାରେ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ବୁଧବାର ଟୀକା ଦିଆଯିବା ସମୟରେ ସମଦୂରତା ରକ୍ଷା କରିବା ଦାୟିତ୍ୱରେ ଥିବା କର୍ମଚାରୀମାନେ ଏହା ଉପରେ ଗୁରୁତ୍ୱ ଦେଇ ନ ଥିବା ଦେଖିବାକୁ ମିଳିଛି। କରୋନା ଭୂତାଣୁ ସଂକ୍ରମଣ ଉପରେ ସ୍ବାସ୍ଥ୍ୟ ବିଭାଗର ଗୁରୁ ଦାୟିତ୍ୱ ରହିଥିବାବେଳେ ଏଠାରେ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଏ ସମ୍ପର୍କରେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ କୌଶିକ ପାତ୍ରଙ୍କୁ ପଚାରିବାରେ, ଯଦି ଅଭିଯୋଗ ସତ୍ୟ ହୋଇଥାଏ ତେବେ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଆଗାମୀ ଦିନରେ ଏଭଳି ତ୍ରୁଟି ନ ହେବା ଦିଗରେ ବିଶେଷ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି।

Share