ସ୍ବାସ୍ଥ୍ୟକେନ୍ଦ୍ରର ସ୍ଥିତି ପରଖିଲେ କେନ୍ଦ୍ରୀୟ ଟିମ୍‌

ଭଣ୍ଡାରିପୋଖରୀ, ୩ା୫(ଡି.ଏନ.ଏ.)-କରୋନା ମୁକାବିଲା ଲାଗି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିଆଯାଇଥିବା ବ୍ୟବସ୍ଥାକୁ ଏମ୍‌ସର କେନ୍ଦ୍ରୀୟ ଟିମ୍‌ ତଦାରଖ କରି ଫେରିଛନ୍ତି। ଭୁବନେଶ୍ୱରସ୍ଥିତ ଏମ୍‌ସର ଡାକ୍ତର ଦିନେଶ କୁମାର ସାହୁଙ୍କ ନେତୃତ୍ୱରେ ସହକାରୀ ପ୍ରଫେସର ଡା. ବିନୋଦ ପାତ୍ର, ଏସଏମ୍‌ଓ(ସର୍ଭେଲାନ୍ସ ମେଡିକାଲ ଅଫିସର) ଡା. ଅର୍ଚ୍ଚନା ଗାୟନ, ଭଦ୍ରକ ଜିଲା ପିଏଚ୍‌ଇଓ ଡା ଜୟନ୍ତ କୁମାର ପଣ୍ଡା, ଡାକ୍ତର କାଶୀନାଥ ପଣ୍ଡା ପ୍ରମୁଖ ରବିବାର ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ଆଇସୋଲେଶନ ୱାର୍ଡ, ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥା, କାଗଜପତ୍ର ଯାଞ୍ଚ କରିବା ସହ କଣ୍ଟେନମେଣ୍ଟ ଜୋନ ସର୍ଭେ ରେକର୍ଡ, କଣ୍ଟାକ୍ଟ ଟ୍ରେସିଂ ରେକର୍ଡ, ସ୍ବାବ ସଂଗ୍ରହ ସଂଖ୍ୟା ଓ ସାମ୍ଭାବ୍ୟ ପରୀକ୍ଷଣ ତାଲିକା ତନଖି କରିଥିଲେ। ସ୍ଥାନୀୟ ମେଡିକାଲ ଅଫିସର ଡା. କମଳାକାନ୍ତ ସ୍ବାଇଁ, ଡା. ରାଜେଶ କୁମାର ବେହେରା, ଡା. ହୃଦୟ ପ୍ରଧାନ, ଡା. ନିଳିମା ନାୟକ, ଡା. ଆଦିତ୍ୟ ସାହୁ, ବିପିଏମଓ ରଶ୍ମିରେଖା ପୃଷ୍ଟି, ପିଏଚଇଓ ଅନିତାରାଣୀ ରାଉତ ପ୍ରମୁଖ କରୋନା ମୁକାବିଲା ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହାପରେ କେନ୍ଦ୍ରୀୟ ଟିମ୍‌ କୁଶଗଡ଼ିଆ ଗ୍ରାମକୁ ଯାଇ ସୁସ୍ଥ ହୋଇ ଘରକୁ ଫେରିଥିବା କରୋନା ସଂକ୍ରମଣ ବ୍ୟକ୍ତି ଓ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରି ଫେରିଥିଲେ।