ସ୍ବାସ୍ଥ୍ୟକେନ୍ଦ୍ର ଛାତରୁ କଙ୍କ୍ରିଟ ଖସିଲା

ଲାଠୋର, ୨୫ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଛାତରୁ କଙ୍କ୍ରିଟ ଟୁକୁଡା ଖସି ପଡିଛି। ଶନିବାର ସକାଳ ୭ଟାରେ କର୍ମଚାରୀମାନେ ହସପିଟାଲ ଖୋଲିବା ପରେ ଏହା ଦେଖିବାକୁ ପାଇଥିଲେ। ଫାର୍ମାଶିଷ୍ଟ ଏବଂ କର୍ମଚାରୀମାନେ ଯେଉଁ ଗୃହରେ ବସି ଔଷଧ ବିତରଣ କରନ୍ତି ସେହି ଗୃହର ଛାତ ଖସି ପଡିଛି। ହସ୍‌ପିଟାଲ କାର୍ଯ୍ୟ ଚାଲିବା ସମୟ ପୂର୍ବରୁ ଘଟଣାଟି ଘଟିଥିବାରୁ କର୍ମଚାରୀମାନେ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ୧୯୭୫ ମସିହାରୁ ସ୍ଥାପିତ ଉକ୍ତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରର ଗୃହ ପୁରୁଣା ହୋଇଯାଇଛି। ଏହାକୁ ତାକୁ ଭାଙ୍ଗି ନୂତନ ଗୃହ ନିର୍ମାଣ କରା ନ ଯାଇ କେବଳ ମରାମତିରେ କାମ ଚାଲିଛି। ନିକଟ ଅତୀତରେ ଉକ୍ତ ଗୃହ ମରାମତି କରାଯାଇଥିଲେ ହେଁ କାମ ନିମ୍ନମାନର ହୋଇଥିବା ଯୋଗୁଁ ଛାତରୁ କଙ୍କ୍ରିଟ ଖସିଥିବା କୁହାଯାଉଛି। ଏନେଇ ଲାଠୋର ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ରାଜ୍ୟଶ୍ରୀ ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଘଟଣା ସମ୍ପର୍କରେ ଆମେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଛୁ। ତେବେ ଯଥାଶୀଘ୍ର ଏହାର ତଦନ୍ତ କରି ନୁତନ ଗୃହ ନିର୍ମାଣ ପାଇଁ ସାଧାରଣରେ ଦାବୀ ହେଉଛି।