ସ୍ବାସ୍ଥ୍ୟସେବା ଉପରୁ ତୁଟୁଛି ଭରସା

ଭୋଗରାଇ, ୭।୩(ଡି.ଏନ.ଏ.)-ରାଜ୍ୟରେ ସର୍ବବୃହତ ବ୍ଲକ ଭାବେ ପରିଚିତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପଛୁଆ ହୋଇରହିଛି। ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାଠାରୁ ଏହାର ଦୂରତା ୧୦୦ କି.ମି.। ଏହି ଉପାନ୍ତ ଇଲାକାରେ ଉନ୍ନତ ସ୍ବାସ୍ଥ୍ୟସେବା ମିଳୁ ନ ଥିବାବେଳେ ରୋଗୀ ଜରୁରିକାଳୀନ ଚିକିତ୍ସା ପାଇପାରୁନାହାନ୍ତି। ଆମ୍ବୁଲାନ୍ସରେ ରୋଗୀଙ୍କୁ ମୁଖ୍ୟ ଡାକ୍ତରଖାନାକୁ ନେବାକୁ ଦୁଇଘଣ୍ଟାରୁ ଅଧିକ ସମୟ ଲାଗୁ ଥିବାବେଳେ ଅତି ଜରୁରୀ ରୋଗୀଙ୍କୁ କଟକ କିମ୍ବା ଭୁବନେଶ୍ୱର ନେବାକୁ ତିନି ଶହରୁ ସାଢ଼େ ତିନିଶହ କି.ମି. ଅତିକ୍ରମ କରିବାକୁ ପଡୁଛି। ଏଭଳି ସ୍ଥିତିରେ ବାଟରେ ରୋଗୀଙ୍କ ମୃତ୍ୟୁ ହୋଇଯାଉଛି।
ଏହି ବ୍ଲକର ୫୦ପଞ୍ଚାୟତର ଜନସଂଖ୍ୟା ସାଢ଼େ ୩ ଲକ୍ଷରୁ ଊର୍ଦ୍ଧ୍ୱ ରହିଛି। ବ୍ଲକ ଅଧୀନରେ ଜଳେଶ୍ୱରପୁର ଓ କମର୍ଦ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବ୍ୟତୀତ ୮ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୩ଜଣ ଡାକ୍ତର ରହି କାର୍ଯ୍ୟ କରୁଥିବା ବେଳେ ଜଣେ ସ୍ତ୍ରୀ ପ୍ରସୂତି ବିଶେଷଜ୍ଞ ଅଛନ୍ତି। ଏଠାରେ ଦୈନିକ ୪ଶହରୁ ୫ଶହ ପର୍ଯ୍ୟନ୍ତ ରୋଗୀ ବହର୍ବିଭାଗକୁ ଆସୁଥିବାରୁ ୩ ଡାକ୍ତରଙ୍କ ପକ୍ଷେ ରୋଗୀ ଦେଖିବା ସମ୍ଭବ ହୋଇପାରୁନାହିଁ। ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଭେଷଜ, ଅସ୍ଥିଶଲ୍ୟ, ଶିଶୁ ବିଶେଷଜ୍ଞ ଓ ଦନ୍ତ ଚିକିତ୍ସା ପଦବୀ ଖାଲି ପଡିଥିବାରୁ ରୋଗୀମାନେ ଚିକିତ୍ସା ନ ପାଇ ହୀନସ୍ତା ହେଉଛନ୍ତି। ସ୍ବାସ୍ଥ୍ୟସେବା ଉପରେ ସେମାନଙ୍କ ଭରସା ତୁଟିଯାଉଛି। ଜନ୍ମମୃତ୍ୟୁ ପଞ୍ଜୀକରଣ ଲାଗି ୨୦୧୭ଠାରୁ କର୍ମଚାରୀ ପଦବୀ ଖାଲି ଥିବାବେଳେ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଖ୍ୟା ଅଭାବ ରହିଛି। ସେହିଭଳି କମର୍ଦ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ସ୍ତ୍ରୀ ପ୍ରସୂତି ବିଭାଗର ଡାକ୍ତର ରହି କାର୍ଯ୍ୟ ତୁଲାଇ ଆସୁଛନ୍ତି।
ଭୋଗରାଇ, ଜଳସୋହରିଆ, କଖଡ଼ା, ଶ୍ରଦ୍ଧାପୁୁର ଓ ଦହମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ଥିବାବେଳେ କେବଳ ଆୟୁଷ ଡାକ୍ତର, କମ୍ପାଉଣ୍ଡର ଓ ନର୍ସଙ୍କ ହାତରେ ରୋଗୀଙ୍କ ଭାଗ୍ୟ ନିର୍ଭର କରୁଛି। ରସଲପୁର, ଆରୁହାବୃତ୍ତି, ଦହମୁଣ୍ଡା, ପୁଟିଣା ଆଦିି ସ୍ବାସ୍ଥ୍ୟକେନ୍ଦ୍ରରେ ବହୁମୁଖୀ ମହିଳା ଓ ପୁରୁଷ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି ହୋଇ ନ ପାରିବାରୁ ସ୍ବାସ୍ଥ୍ୟସେବା ବେହାଲ ହୋଇଛି। ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡସ୍ତରୀୟ ଡାକ୍ତରଖାନା ପ୍ରତିଷ୍ଠା ଲାଗି ଦୀର୍ଘଦିନରୁ ଅଞ୍ଚଳବାସୀଙ୍କ ଦାବି ହୋଇ ଆସୁଥିବା ବେଳେ ଅଦ୍ୟାବଧି ତାହା ପୂରଣ ହୋଇ ନ ପାରିବାରୁ ଜନ ଅସନ୍ତୋଷ ଦେଖାଦେଇଛି। ଜିଲା ଯୋଜନା ବୋର୍ଡ଼ର ସଭାପତି ତଥା ବିଧାୟକ ଅନନ୍ତ ଦାସ ସ୍ବାସ୍ଥ୍ୟକେନ୍ଦ୍ରର ଏଭଳି ସ୍ଥିତିକୁ ନେଇ ଗମ୍ଭୀରତାର ସହ ରାଜ୍ୟ ସରକାରଙ୍କୁ ଅବଗତ କରିଥିବା କହିଛନ୍ତି। ସାମାଜିକ କର୍ମୀ ହରନାରାୟଣ ରାଉତ ଭୋଗରାଇରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ପାଇଁ ଲୋକ ପ୍ରତିନିଧି ଓ ରାଜ୍ୟସରକାରଙ୍କୁ ଦାୟୀ କରିଛନ୍ତି। ସ୍ବାସ୍ଥ୍ୟସେବାର ଉନ୍ନତି ନ ହେଲେ ବୃହତ ଆନ୍ଦୋଳନ ହେବ ବୋଲି ଭାଜପା ନେତା ଅଂଶୁମାନ ମହାନ୍ତି କହିଛନ୍ତି।