ସ୍ବାସ୍ଥ୍ୟୋପକାରୀ ସେଓ ଚୋପା

ସେଓ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ଏହା ସହ ସେଓ ଚୋପାରେ ମଧ୍ୟ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହି ଚୋପା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ। ଏପରି ସମସ୍ୟା ସହ ଜଡିତ ରୋଗୀ ନିୟମିତ ସେଓକୁ ଚୋପା ସହ ଖାଇଲେ ତାହା ଉଚ୍ଚ ରକ୍ତଚାପକୁ ସନ୍ତୁଳିତ ରଖିଥାଏ ବୋଲି ୟୁନିଭର୍ସିଟି ଅଫ କାଲିଫର୍ନିଆର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ସେଓ ଚୋପା ଆଣ୍ଟିଅକ୍ସିଡାଣ୍ଟ ପରି କାମ କରିଥାଏ। ଏହା ହେଉଛି ଫ୍ଲୋଏଣ୍ଟିସ୍‌ର ଏକ ପ୍ରମୁଖ ଉତ୍ସ। ଆଉ ଏକ ଖାସ୍‌ କଥା ହେଲା ହୃଦ୍‌ରୋଗୀଙ୍କ ପାଇଁ ସେଓ ଚୋପା ବେଶ୍‌ ଉପକାରୀ। କୋଲେଷ୍ଟରଲ ସ୍ତରକୁ ନିୟନ୍ତ୍ରିତ ରଖିବାକୁ ଚାହୁଁଛନ୍ତି କି ? ଯଦି ହଁ, ତେବେ ଦୈନନ୍ଦିନ ଖାଦ୍ୟ ତାଲିକାରେ ସେଓ ସାମିଲ କରନ୍ତୁ ଏବଂ ତାହାକୁ ଚୋପା ସହ ଖାଆନ୍ତୁ। ସେଓ ଚୋପାରେ ଭିଟାମିନ୍‌ ‘ଏ’ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଦୃଷ୍ଟି ଶକ୍ତିକୁ ଆହୁରି ପ୍ରଖର କରିଥାଏ। ତା’ସହ ହାଡ ମଜଭୁତ ରହିଥାଏ।