Categories: ରାଜ୍ୟ

ସ୍ବାସ୍ଥ୍ୟ ବିଭାଗର କ୍ଷୟକ୍ଷତି ଆକଳନ କରିବେ ଅନ୍ତର୍ଜାତୀୟ ପ୍ରତିନିଧି ଦଳ: ଜୁନ୍‌ ୩ରେ ରିପୋର୍ଟ ପ୍ରଦାନ

ଭୁବନେଶ୍ୱର,୨୬।୫(ବ୍ୟୁରୋ)- ଫନୀ କ୍ଷତିଗ୍ରସ୍ତଙ୍କୁ ସହାୟତା ଲାଗି ଓଡ଼ିଶା ଗସ୍ତରେ ଆସିଥିବା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ, ବିଶ୍ୱବ୍ୟାଙ୍କ ଏବଂ ୟୁନିସେଫ୍‌ ପ୍ରତିନିଧି ଦଳ ଶନିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି। ବାତ୍ୟାରେ ସ୍ବାସ୍ଥ୍ୟ ବିଭାଗର ହୋଇଥିବା କ୍ଷୟକ୍ଷତି ସହ ବାତ୍ୟା ପରବର୍ତ୍ତୀ ସ୍ଥିତିରେ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ପଚାରି ବୁଝିଛନ୍ତି। ଓଡ଼ିଶା ଗସ୍ତରେ ଆସିଥିବା ଏହି ପ୍ରତିନିଧି ଦଳ ୬ ଭାଗରେ ବିଭକ୍ତ ହେବେ। ଆସନ୍ତା ୨୬ରୁ ୨୮ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବାତ୍ୟା କ୍ଷତିଗ୍ରସ୍ତ ଜିଲା ପରିଦର୍ଶନ କରି ଜୁନ୍‌ ୩ରେ ସେମାନଙ୍କ ରିପୋର୍ଟ ପ୍ରଦାନ କରିବେ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଡା. ରୀତୁ ସିଂ ଚୌହାନ ଓ ଡା. ଅବନୀ ଚନ୍ଦ୍ରନାଥ ସାହୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ସହିତ ବ୍ରହ୍ମଗିରି, କୃଷ୍ଣପ୍ରସାଦ ଓ ସତ୍ୟବାଦୀ ବ୍ଲକ ଗସ୍ତରେ ଯିବେ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଡା. ଗୌରବ ଗୁପ୍ତା ଓ ଡା. ସନ୍ତୋଷ ସାହୁଙ୍କୁ ନେଇ ଗଠିତ ଅନ୍ୟ ଟିମ୍‌ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ ସହିତ କ୍ୟାପିଟାଲ ହସ୍ପିଟାଲ, କଟକସ୍ଥିତ ସିଟି ହସ୍ପିଟାଲ ଯାଇ କ୍ଷୟକ୍ଷତି ଆକଳନ କରିବେ। ସେହିଭଳି ୟୁନିସେଫ୍‌ର ଡା. ବ୍ରଜେଶ ରାଜ ମିତ୍ର, ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଡା. ଦୀପକ କୁମାର କର ଓ ଡା. ଜ୍ଞାନ ଚାନ୍ଦଙ୍କୁ ନେଇ ଗଠିତ ଟିମ୍‌ ଯାଜପୁର ଏବଂ ଭଦ୍ରକ ଜିଲା ଗସ୍ତରେ ଯିବାକୁ ସ୍ଥିର ହୋଇଛି। ବିଶ୍ୱବ୍ୟାଙ୍କର ଡା. ସୁରେଶ କୁମାର ମହମ୍ମଦ ଓ ୟୁନିସେଫ୍‌ର ଦୀପକ କୁମାର ବିଶ୍ୱାଳଙ୍କୁ ନେଇ ଗଠିତ ଟିମ୍‌ ଜଗତ୍‌ସିଂହପୁର ଏବଂ କେନ୍ଦ୍ରାପଡ଼ାର ବିଭିନ୍ନ ସ୍ବାସ୍ଥ୍ୟ ଅନୁଷ୍ଠାନ ପରିଦର୍ଶନ ସହିତ କ୍ଷୟକ୍ଷତି ଆକଳନ କରିବେ। ଆଲୋଚନା ସମୟରେ ବିଭାଗ ପକ୍ଷରୁ କ୍ଷୟକ୍ଷତି ସଂକ୍ରାନ୍ତରେ କରାଯାଇଥିବା ଆକଳନ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଏଥିସହିତ ବାତ୍ୟା ପୂର୍ବରୁ ଓ ପରେ ବିଭାଗ ପକ୍ଷରୁ ଜାରି ରହିଥିବା ବିଭିନ୍ନ ପଦକ୍ଷେପ ସଂକ୍ରାନ୍ତରେ ଅନ୍ତର୍ଜାତୀୟ ପ୍ରତିନିଧିମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଯାଇଥିଲା। ବିଭାଗ କମିଶନର ଡା. ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମ ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, ବିଭାଗ ଯୁଗ୍ମ ସଚିବ ଯାମିନୀ ଷଡ଼ଙ୍ଗୀ, ସ୍ବତନ୍ତ୍ର ସଚିବ ଡା. ବି.କେ. ବ୍ରହ୍ମା ଓ ଡା. ଲିଙ୍ଗରାଜ ମିଶ୍ରଙ୍କ ସହ ସମସ୍ତ ବିଭାଗୀୟ ନିର୍ଦ୍ଦେଶକ ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Share