ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା : ଗଠନ ହେବ ଓଡ଼ିଶା କ୍ୟାନ୍‌ସର କେୟାର ଫାଉଣ୍ଡେଶନ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ସମୀକ୍ଷା ବୈଠକ ମଙ୍ଗଳବାର ସଚିବାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସେବା ବିଷୟରେ ଆଲୋଚନା ହୋଇଥିଲା। ରାଜ୍ୟରେ କର୍କଟ ରୋଗ କାର୍ଯ୍ୟକ୍ରମ ସମ୍ପର୍କରେ ମନ୍ତ୍ରୀ ସମୀକ୍ଷା କରିଥିଲେ। ଓଡ଼ିଶା କ୍ୟାନସର କେୟାର ଫାଉଣ୍ଡେଶନ ଗଠନ ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ଫାଉଣ୍ଡେଶନର ପ୍ରଥମ ବୈଠକ ଆସନ୍ତା ଜୁଲାଇ ୧୫ରେ ଅନୁଷ୍ଠିତ ହେବ। ବାରଙ୍ଗଠାରେ ପ୍ରତିଷ୍ଠା ହେବାକୁ ଯାଉଥିବା ଆପେକ୍ସ କର୍କଟ କେନ୍ଦ୍ର ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏତଦ୍‌ବ୍ୟତୀତ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନରେ ରୋଗୀଙ୍କ ଭାର ହ୍ରାସ କରିବା ନିମନ୍ତେ ଏହାର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ କରାଯିବାକୁ ଆଲୋଚନା ହୋଇଛି। ରାଜ୍ୟର ଜିଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ଆରମ୍ଭ ହୋଇଥିବା କୋମୋଥେରାପି କାର୍ଯ୍ୟକ୍ରମ ଉପରେ ଆଲୋଚନା କରି ଏହାକୁ ଅଧିକ ଲୋକାଭିମୁଖୀ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଭବାନୀପାଟଣାରେ ବେଦାନ୍ତ ତରଫରୁ ପିପିପି ମୋଡରେ ପ୍ରତିଷ୍ଠା ହେବାକୁ ଥିବା ଡାକ୍ତରଖାନା ନିର୍ମାଣ କାର୍ଯ୍ୟ ସମ୍ପର୍କରେ ମଧ୍ୟ ବେଦାନ୍ତ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ବୈଠକରେ ବିଭାଗ କମିଶନର ଡା. ପ୍ରମୋଦ କୁମାର ମେହେର୍ଦ୍ଦା, ରାଜ୍ୟ ଔଷଧ ନିଗମ ଏମ୍‌.ଡି. ଅର୍ଚ୍ଚନା ପଟ୍ଟନାୟକ, ସ୍ବତନ୍ତ୍ର ସଚିବ ଶରତ ଚନ୍ଦ୍ର ମିଶ୍ର, ଡା. ବି.କେ. ବ୍ରହ୍ମା, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ହରପ୍ରସାଦ ପଟ୍ଟନାୟକ, ଯୁଗ୍ମ ସଚିବ ଯାମିନୀ ଷଡ଼ଙ୍ଗୀ, ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନ ନିର୍ଦ୍ଦେଶକ ଡା. ଲଲାଟେନ୍ଦୁ ଷଡ଼ଙ୍ଗୀ ଓ ଡା. ଦିନେଶ ପେଣ୍ଡାରକରଙ୍କ ସମେତ ଘରୋଇ ଡାକ୍ତରଖାନାଗୁଡ଼ିକର କର୍ମକର୍ତ୍ତା ଏବଂ ସ୍ବାସ୍ଥ୍ୟ ବିଭାଗର ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Share