Advertisement

ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେବେ ୧୦ କୋଟି ଶିଶୁ

ଜେନେଭା, ୨୬।୪: କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଅନେକ କାର୍ଯ୍ୟ ବନ୍ଦ ହୋଇଯାଇଛି। ଏଭଳିସ୍ଥିତିରେ ଲୋକମାନେ ସୁସ୍ଥ ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା ବା ଟିକାକରଣ କରାଉନାହାନ୍ତି। କରୋନା ଭୟରେ ଶିଶୁଙ୍କ ପରିବାର ଲୋକେ ମେଡିକାଲ ଯାଉ ନ ଥିବା ବେଳେ ଅନେକ ପିଲା ଗୁରୁତର ରୋଗରୁ ରକ୍ଷା ପାଇବା ପାଇଁ ଟିକା ନେଇ ପାରୁନାହାନ୍ତି। ହେଲେ ଲୋକମାନେ ଯଦି କରୋନା ଭୟରେ ଶିଶୁଙ୍କ ଟିକାକରଣ ନ କରାନ୍ତି, ତାହେଲେ ଆଗାମୀ ଦିନରେ ଶିଶୁମାନେ ଅନ୍ୟ ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେବେ। ଆଗାମୀ ଦିନରେ ଲକ୍ଷ ଲକ୍ଷ ଶିଶୁ ମିଳିମିଳା, କାଶ, କଫ ଏବଂ ଅନ୍ୟ ଜୀବନ ହାନିକାରକ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ବୋଲି ଜନସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଆମେରିକାର ୧୦୦୦ କ୍ଲିନିକ୍‌ରୁ ପେଡିଆଟ୍ରିକ ଇଲେକ୍ଟ୍ରୋନିକ ହେଲ୍‌ଥ ରେକର୍ଡସ କମ୍ପାନୀ ଦ୍ୱାରା ସଂଗୃହୀତ ସୂଚନା ଅନୁଯାୟୀ, ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ହାଡ଼ଫୁଟି, ଗଳଗଣ୍ଡ ରୋଗ ଏବଂ ରୁବେଲା ଟିକାକରଣ ହାର ୫୦% କମିଥିବା ବେଳେ ଡିଫ୍‌ଥେରିଆ ଏବଂ କଫ, କାଶ ଟିକା ଏବଂ ଏଚ୍‌ପିଭି ଟିକାକରଣ ୭୩% ହ୍ରାସ ପାଇଛି। ଯଦି ଏଭଳି ସ୍ଥିତି ଜାରି ରୁହେ, ତାହେଲେ ଟିକାକରଣ ଦ୍ୱାରା ରୋକାଯାଇ ପାରୁଥିବା ଅନ୍ୟ ଭୂତାଣୁ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇବ ବୋଲି ଆମେରିକୀୟ ଏକାଡେମୀ ଅଫ୍‌ ପେଡିଆଟ୍ରିକ୍ସ କମିଟିର ସଦସ୍ୟ ଡ. ସଚିନ ଟି ଓଲିରି କହିଛନ୍ତି। ଏହାଛଡ଼ା ସରକାରଙ୍କ ତରଫରୁ ମାଗଣାରେ କରାଯାଉଥିବା ଟିକାକରଣ ମଧ୍ୟ ଗତ ମାର୍ଚ୍ଚରୁ ହ୍ରାସ ପାଉଥିବା ଜଣାପଡ଼ିଛି। ୟୁନେସ୍କୋ ଓ ଡବ୍ଲ୍ୟୁଏଚ୍‌ଓ ଅନ୍ତଃରାଷ୍ଟ୍ରୀୟ ସଂଗଠନ ପକ୍ଷରୁ ନିକଟରେ ଜାରି କରାଯାଇଥିବା ଏକ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ୨୪ରୁ ଊର୍ଦ୍ଧ୍ୱ ଦେଶରେ ରାଷ୍ଟ୍ରୀୟ ଟିକାକରଣ କାର୍ଯ୍ୟକ୍ରମ ରୋକାଯାଇଛି। ଏହାଦ୍ୱାରା ପ୍ରାୟ ୧୦ କୋଟି ଶିଶୁ ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share