ସ୍ବାସ୍ଥ୍ୟ ସେବା ଉପରେ କରୋନା ପ୍ରଭାବ: ଆସନ୍ତା ୬ ମାସରେ ୧୨ ଲକ୍ଷ ଶିଶୁଙ୍କ ହେବ ମୃତ୍ୟୁ

ଜେନେଭା,୧୩।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ଏପରି ସ୍ଥଳେ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଫଳରେ ସାଧାରଣ ସ୍ବାସ୍ଥ୍ୟ ସେବା ଯୋଗାଣ ବାଧାପ୍ରାପ୍ତ ହେଉଥିବା ୟୁନିସେଫ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ଏହି ଧାରା ଜାରି ରହିଲେ ଆସନ୍ତା ୬ ମାସ ମଧ୍ୟରେ ପୃଥିବୀର ବିଭିନ୍ନ ଦେଶରେ ୧୨ ଲକ୍ଷରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିବ। ଏହାଦ୍ୱାରା ପୃଥିବୀର ୧୧୮ ଦେଶର ଶିଶୁ ପ୍ରଭାବିତ ହେବେ। ସେଥିମଧ୍ୟରୁ କେବଳ ଦକ୍ଷିଣ ଏସିଆରେ ୪ ଲକ୍ଷ ୪୦ ହଜାର ଶିଶୁଙ୍କ ମୃତ୍ୟୁ ଘଟିବାର ଆଶଙ୍କା ରହିଛି। ଭାରତରେ ସର୍ବାଧିକ ୩ ଲକ୍ଷ ଶିଶୁଙ୍କ ମୃତ୍ୟୁ ଘଟିପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି। ପାକିସ୍ତାନରେ ୯୫ ହଜାର, ବାଂଲାଦେଶରେ ୨୮ ହଜାର, ଆଫଗାନିସ୍ତାନରେ ୧୩ ହଜାର, ନେପାଳରେ ୪ ହଜାର ଶିଶୁଙ୍କ ମୃତ୍ୟୁ ସ୍ବାସ୍ଥ୍ୟ ସେବା ଅଭାବରୁ ମୃତ୍ୟୁ ଘଟିବ। ଚଳିତ ଦଶନ୍ଧିରେ ପ୍ରଥମ ଥର ପାଇଁ ୫ ବର୍ଷରୁ କମ୍‌ ବୟସ୍କ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା ୟୁନିସେଫ୍‌ର ଦକ୍ଷିଣ ଏସିଆ ଆଞ୍ଚଳିକ ନିର୍ଦ୍ଦେଶକ ଜନ୍‌ ଗୌଘ୍‌ ସୂଚନା ଦେଇଛନ୍ତି। ଏହାର ପ୍ରଭାବ ବ୍ରାଜିଲ୍‌, କଙ୍ଗୋ, ଇଥୋପିଆ, ଇଣ୍ଡୋନେସିଆ, ନାଇଜେରିଆ, ଉଗାଣ୍ଡା, ତାଞ୍ଜାନିଆ ଆଦି ଦେଶ ଉପରେ ପଡ଼ିବ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି।

Share