Categories: ଖେଳ

ସ୍ବିତୋଲିନାଙ୍କୁ ଚକ୍‌ମା ଦେଲେ ଆନିସିମୋଭା

ଦୋହା, ୨୫।୨ (ଏଏଫ୍‌ପି)- ଏଠାରେ ଚାଲିଥିବା ଦୋହା ଡବ୍ଲ୍ୟୁଟିଏ ଓପନ୍‌ ଟେନିସ ପ୍ରତିଯୋଗିତାର ଏକ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ରେ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବିଶ୍ୱ ମାନ୍ୟତାର ୫ମ ସ୍ଥାନରେ ରହିଥିବା ୟୁକ୍ରେନର ଏଲିନା ସ୍ବିତୋଲିନାଙ୍କୁ ପରାଜୟ ସାମ୍ନା କରିବାକୁ ପଡ଼ିଛି। ମହିଳା ସିଙ୍ଗଲ୍ସର ଏହି ମ୍ୟାଚ୍‌ରେ ଆମେରିକାର ଆମଣ୍ଡା ଆନିସିମୋଭା ୬-୩, ୬-୩ ସିଧାସଳଖ ସେଟ୍‌ରେ ସ୍ବିତୋଲିନାଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌ ଜିତିବାକୁ ଆନିସିମୋଭାଙ୍କୁ ମାତ୍ର ଏକ ଘଣ୍ଟା ସମୟ ଲାଗିଥିଲା। ସ୍ବିତୋଲିନା ଗତବର୍ଷ ଉଭୟ ଓ୍ବିମ୍ବେଲଡନ ଓ ଫ୍ରେଞ୍ଚ୍‌ ଓପନ୍‌ ସେମିଫାଇନାଲିଷ୍ଟ ରହିଥିଲେ। ଗତ ବର୍ଷ ମେ’ରେ ଖେଳାଯାଇଥିବା ଫ୍ରେଞ୍ଚ୍‌ ଓପନ୍‌ ପରେ ୧୮ ବର୍ଷୀୟା ଆନିସିମୋଭା ପ୍ରଥମଥର ଲାଗି ଟପ୍‌-୧୦ରେ ରହିଥିବା କୌଣସି ଖେଳାଳିଙ୍କୁ ହରାଇଛନ୍ତି। ସେହିଭଳି ଅନ୍ୟ ଏକ ମ୍ୟାଚ୍‌ରେ ରୁଷିଆ ଜନ୍ମିତ କାଜାଖସ୍ତାନ ଖେଳାଳି ଏଲିନା ରେବାକିନା ସିଜନର ୨୦ତମ ବିଜୟ ଲାଭ କରିଛନ୍ତି। ୨୦ ବର୍ଷୀୟା ଏଲିନା ୩-୬, ୬-୩, ୬-୧ ସେଟ୍‌ରେ ରୋମାନିଆର ସୋରାନା କ୍ରିଷ୍ଟେଙ୍କ ପରାସ୍ତ କରି ଏହି ସଫଳତା ପାଇଛନ୍ତି।

Share