ସ୍ବେଚ୍ଛାସେବୀଙ୍କ ବନୀକରଣ ସଚେତନତାର ପ୍ରଶଂସା: ସିଡ୍‌ବଲ୍‌ରେ ‘ଧରିତ୍ରୀ’ ଲେଖି ସଜାଇଲେ

ପୁରୁଣା ଭୁବନେଶ୍ୱର,୧୯।୯ (ଡି.ଏନ.ଏ.): ବନୀକରଣ ପାଇଁ ଦୈନିକ ଖବରକାଗଜ ‘ଧରିତ୍ରୀ’ ସଚେତନତା ଓ ଉତ୍ସାହ ସୃଷ୍ଟି କରୁଥିବା ଦର୍ଶାଇ ନିଆରା ଢଙ୍ଗରେ ସମ୍ମାନ ଜଣାଇଛନ୍ତି ବହୁ ସ୍ବେଚ୍ଛାସେବୀ। ବନୀକରଣ କାର୍ଯ୍ୟରେ ନିୟୋଜିତ ଏହି ସ୍ବେଚ୍ଛସେବୀମାନେ ସିଡ୍‌ବଲ୍‌ ବା ବିହନ ପିଣ୍ଡୁଳାରେ ‘ଧରିତ୍ରୀ’ ଲେଖି ସଜାଇଛନ୍ତି। ସଚେତନତା କ୍ଷେତ୍ରରେ ଧରିତ୍ରୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଆମେ ଏଭଳି ସମ୍ମାନ ଦେଉଛୁ ବୋଲି ଏହି ଅଭିଯାନର ନେତୃତ୍ୱ ନେଉଥିବା ସାମାଜିକ କର୍ମୀ ସୁଶାନ୍ତ ସାହୁ କହିଛନ୍ତି।
ବନୀକରଣର ସଫଳତା ପଛରେ ସିଡ୍‌ବଲ୍‌ ବା ବିହନ ପିଣ୍ଡୁଳାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି। ମାଟି ଓ ଗୋବର ଖତ ସହିତ ବିଭିନ୍ନ ବିହନକୁ ମିଶାଇ ପେଣ୍ଡୁ ବା ବଲ୍‌ ଆକାରରେ ତିଆରି କରାଯାଏ। ଏହାକୁ ଖାଲି ପଡ଼ିଥିବା ଜଙ୍ଗଲ ଜମିରେ ନିକ୍ଷେପ କଲେ ଏଥିରୁ ଅଙ୍କୁରଣ ହୋଇ ଗଛ ସୃଷ୍ଟି ହୁଏ। ଚାରା ପ୍ରସ୍ତୁତି, ରୋପଣ, ବାଡ଼ ଆଦିରେ ଗଛ ସୃଷ୍ଟି ପ୍ରକ୍ରିୟା ଖର୍ଚ୍ଚ ବହୁଳ ଓ ଚାରା ମୃତ୍ୟୁହାର ଅଧିକ ହେଉଥିବା ବେଳେ ସିଡ୍‌ବଲ୍‌ରେ ଖୁବ୍‌ କମ୍‌ ଖର୍ଚ୍ଚ, କମ୍‌ ପରିଶ୍ରମ ଓ ବିନା ତଦାରଖରେ ଗଛ ସୃଷ୍ଟି ହୋଇଥାଏ। ଚନ୍ଦକା ଜଙ୍ଗଲ ଚାରିପଟେ ସାହୁଙ୍କ ନେତୃତ୍ୱରେ ଏଭଳି ଅଭିଯାନ ଚାଲିଛି। ଧରିତ୍ରୀ ପୃଷ୍ଠାରେ ଏହି ନିଆରା ଉଦ୍ୟମକୁ ନେଇ ଖବର ପ୍ରକାଶନ ପରେ ଆଖପାଖ ବିଦ୍ୟାଳୟ, ଗ୍ରାମବାସୀ ଓ ସ୍ବେଚ୍ଛାସେବୀମାନେ ସିଡ୍‌ବଲ୍‌ ବନୀକରଣ ପ୍ରକ୍ରିୟାରେ ଯୋଡ଼ି ହୋଇଛନ୍ତି। ସିଡ୍‌ବଲ୍‌ ତିଆରି, ନିକ୍ଷେପ ଆଦି କାମ କରୁଥିବା ସ୍ବେଚ୍ଛାସେବୀମାନେ ପରିବେଶ ସଚେତନତା ଦିଗରେ ଗଣମାଧ୍ୟମ ବିଶେଷକରି ଧରିତ୍ରୀକୁ ପ୍ରଶଂସା କରିଛନ୍ତି।

Share