Categories: ଫୁରସତ

ସ୍ମାର୍ଟଫୋନ୍‌ରୁ ଦୂରେଇ ରହିବା ପାଇଁ ଇଣ୍ଡୋନେସିଆ ସରକାର ନେଇଛନ୍ତି ଏହି ନୂଆ ପଦକ୍ଷେପ

ସ୍ମାର୍ଟଫୋନ୍‌ ସମସ୍ତ ବର୍ଗଙ୍କ ପାଇଁ ଯେପରି ଅତ୍ୟାବଶ୍ୟକ ପାଲଟିଯାଇଛି। ଏଥିରୁ ବାଦ୍‌ ବି ପଡୁନାହାନ୍ତି କୁନିକୁନି ପିଲା। ଅଧିକାଂଶ ସମୟ ସେମାନେ ଟିଭି କିମ୍ବା ଫୋନ୍‌ରେ ବିତାଉଛନ୍ତି। ଏଣୁ ପାଠପଢ଼ା ବ୍ୟାହତ ହେବା ସହ ଆଖି, ମସ୍ତିଷ୍କ ରୋଗର ଶିକାର ହେଉଛନ୍ତି ବୋଲି ଏକ ରିପୋର୍ଟରୁ ପ୍ରକାଶ। ଏଥିରୁ ଦୂରେଇ ରହିବା ପାଇଁ ଇଣ୍ଡୋନେସିଆ ସରକାର ଏକ ପଦକ୍ଷେପ ନେଇଛନ୍ତି। ଯାହା ଦ୍ୱାରା ପିଲାମାନେ ଏଥିରେ ମନୋନିବେଶ କରିପାରିବେ। ଇଣ୍ଡୋନେସିଆ ସରକାର ଏକ ପାଇଲଟ୍‌ ଯୋଜନା ଆରମ୍ଭ କରିଛନ୍ତି। ଏହା ମାଧ୍ୟମରେ ପିଲାମାନେ ଗଛ ଲଗାଇବା ସହ, ଘରେ ଚଢ଼େଇ, କୁକୁଡ଼ା ଆଦି ପାଳନ କରିପାରିବେ। ଫଳରେ ପିଲାମାନେ ଏସବୁରେ ମନ ଲଗାଇ ସ୍ମାର୍ଟଫୋନ୍‌ରୁ ଦୂରେଇ ରହିବେ।

ଇଣ୍ଡୋନେସିଆର ବଣ୍ଡୁଙ୍ଗ୍‌ ପ୍ରଶାସନ କୁହନ୍ତି, ସହରରେ ୧୦ଟି ପ୍ରାଥମିକ ବିଦ୍ୟାଳୟ ଏବଂ ୨ଟି ଉଚ୍ଚ ବିଦ୍ୟାଳୟରେ ୨୦୦୦ କୁକୁଡ଼ା ଛୁଆ, ୧୫୦୦ ଲଙ୍କା ଚାରା ବାଣ୍ଟିଛନ୍ତି। ମେୟର କୁହନ୍ତି, ଏଠାକାର ଲୋକେ ଇଣ୍ଟରନେଟ୍‌ ବ୍ୟବହାର କରିବାରେ ୮ ଘଣ୍ଟାରୁ ଅଧିକ ସମୟ ନଷ୍ଟ କରିଥାନ୍ତି। ସେହିପରି ପିଲାମାନେ ମଧ୍ୟ ସ୍ମାର୍ଟଫୋନ୍‌ ଦୀର୍ଘ ସମୟ ଦେଖିଥାନ୍ତି। ତେଣୁ ଏଥିରୁ ଦୂରେଇ ରହିବା ପାଇଁ ଏହା ପ୍ରଶାସନର ଏକ ପ୍ରୟାସ ମାତ୍ର। ଲକ୍ଷ୍ୟସ୍ଥଳରେ ମଧ୍ୟ ଆମେ ପହଞ୍ଚି ସାରିଛୁ। ପିଲାମାନଙ୍କୁ ଅନୁଶାସନ କରିବା ଅଭିଭାବକଙ୍କ ଦାୟିତ୍ୱ। ସ୍ମାର୍ଟଫୋନ୍‌ରେ ଖେଳି ବିପଦ ଆଣିବା ଅପେକ୍ଷା ଗଛଲତା, ଜୀବଜନ୍ତୁ ସହ ସମୟ ବିତାଇଲେ ଶହେ ଗୁଣ ଭଲ ବୋଲି କହିଛନ୍ତି। ଅନ୍ୟପକ୍ଷରେ ପଞ୍ଚମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର କୁହନ୍ତି, ସେ କୁକୁଡ଼ା ଛୁଆଙ୍କ ଦେଖାଶୁଣା କରିବା ସହ ତାଙ୍କ ସହ ଖେଳି ସମୟ କାଟି ଦେଉଛନ୍ତି। ଆଉ ଫୋନ୍‌ ଦରକାର ପଡୁନି।

Share