ସ୍ମାର୍ଟସିଟି ସର୍ବସାଧାରଣ ସ୍ଥାନର ଜାତୀୟ ମାନ ନିର୍ଦ୍ଧାରଣ ହେବ: ପ୍ରସ୍ତୁତି ଚାଲିଛି ନୂଆ ଆପ୍‌, ମିଳିବ ସମସ୍ତ ତଥ୍ୟ

ଭୁବନେଶ୍ୱର, ୧୯।୭(ବ୍ୟୁରୋ)- ମୋବାଇଲରେ ଜାଣିହେବ ଦେଶରେ ଥିବା ସ୍ମାର୍ଟସିଟିଗୁଡ଼ିକର ସବିଶେଷ ତଥ୍ୟ। ବିଶେଷକରି ପାର୍କ, ମାର୍କେଟ, ଐତିହ୍ୟସ୍ଥଳ, ଜଳାଶୟ, ରାସ୍ତା ଆଦି ସର୍ବସାଧାରଣ ସ୍ଥାନ ସଂକ୍ରାନ୍ତରେ ଜାଣିବା ପାଇଁ ସ୍ମାର୍ଟ ସିଟି ମିଶନ ପକ୍ଷରୁ ନୂଆ ଆପ୍‌ କାର୍ଯ୍ୟକାରୀ କରାଯିବ। ସ୍ମାର୍ଟସିଟି ଭୁବନେଶ୍ୱରରେ ପ୍ରଥମେ ଏହି ଆପ୍ଲିକେଶନ (ଆପ୍‌)କୁ ପରୀକ୍ଷାମୂଳକ ଭାବେ ପ୍ରଚଳନ କରାଯିବ। ପ୍ରସ୍ତୁତିରେ ଥିବା ଏହି ଆପ୍‌/ଡିଜିଟାଲ ପ୍ଲାଟ୍‌ଫର୍ମ ବିଶେଷକରି ବାହାରର ଅତିଥି ବା ସହରର ନାଗରିକଙ୍କ ପାଇଁ ବେଶ୍‌ ସହାୟକ ହେବ। ଉକ୍ତ ସ୍ଥାନର ଅବସ୍ଥିତି, ରୁଟ୍‌ ମ୍ୟାପ୍‌, ରହିଥିବା ସୁବିଧାସୁଯୋଗ ଓ ସୁରକ୍ଷା ଆଦି ବିଭିନ୍ନ ବ୍ୟବସ୍ଥା ସଂକ୍ରାନ୍ତରେ ସୂଚନା ଦେବ। ଏହି ଆପ୍‌ ଜରିଆରେ ସ୍ମାର୍ଟସିଟି ସର୍ବସାଧାରଣ ସ୍ଥାନଗୁଡ଼ିକର ଜାତୀୟ ରେଟିଂ କରାଯିବ।
ଏହି ପରିପ୍ରେକ୍ଷୀରେ ସ୍ମାର୍ଟ ସିଟି ଫେଲୋ ଶୁଭାଶ୍ବେତୀ ସିହ୍ନା, ମାନସୀ ନାଇଡୁ ଓ କୀର୍ତ୍ତି କାୱାଲେ ଏବେ ଭୁବନେଶ୍ୱର ଆସି ଏ ସଂକ୍ରାନ୍ତ ତଥ୍ୟ ସଂଗ୍ରହ କରିଛନ୍ତି। ସେମାନେ କହିଛନ୍ତି, ଏହାଦ୍ବାରା ସମସ୍ତ ସ୍ମାର୍ଟ ସିଟି ମିଶନ ଅଧିନ ସହରରେ ଥିବା ପାର୍କ ଓ ସର୍ବସାଧାରଣ ସ୍ଥାନଗୁଡ଼ିକର ଏକ ଜାତୀୟ ମାନ ନିର୍ଦ୍ଧାରଣ ପାଇଁ ବାଟ ଫିଟିବ। ସବୁଠାରୁ ଉପଯୋଗୀ ପଦକ୍ଷେପ ସ୍ବରୂପ ନାଗରିକଙ୍କ ମତାମତକୁ ଗୁରୁତ୍ୱ ଦିଆଯାଇ ଏହି ଆପ୍‌ ତିଆରି ହେବ। ବ୍ୟବହାରକାରୀଙ୍କ ଦ୍ୱାରା ଦିଆଯାଉଥିବା ମତାମତ ଓ ସମସ୍ତ ଅପ୍‌ଡେଟ୍‌ ଆପ୍‌ର ମୁଖ୍ୟ ପେଜ୍‌ରେ ପ୍ରଦର୍ଶିତ କରାଯିବ। ଯଦି ଲୋକେ ଗୋଟିଏ ପାର୍କ ବା ସର୍ବସାଧାରଣ ସ୍ଥାନକୁ ୧୦ରୁ ୬.୫ ନମ୍ବର ଦେଲେ ତେବେ ଆହୁରି ଉନ୍ନତୀକରଣ ଦିଗରେ କାର୍ଯ୍ୟ କରାଯିବ। ୮.୫ କିମ୍ବା ୯ ନମ୍ବର ରହିଲେ ତା’ହେଲେ ଉକ୍ତ ସ୍ଥାନର ସ୍ଥିତି ସେମାନଙ୍କୁ ସନ୍ତୋଷଜନକ ବୋଲି ଜଣାପଡିବ। ଏହି ଅନୁସାରେ ଜାତୀୟ ମାନ ନିର୍ଦ୍ଧାରଣ କରାଯିବ ବୋଲି ସ୍ମାର୍ଟସିଟି ଫେଲୋମାନେ ସୂଚନା ଦେଇଛନ୍ତି।
ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ଅନ୍ତର୍ଗତ ସ୍ମାର୍ଟ ସିଟି ମିଶନ ଅଧୀନରେ ବିଶିଷ୍ଟ ନଗର ଉନ୍ନୟନ ବିଶାରଦ ପ୍ରଫେସର କେ.ଟି. ରବୀନ୍ଦ୍ରନ୍‌ଙ୍କ ତତ୍ତ୍ୱାବଧାନରେ ସ୍ମାର୍ଟ ସିଟି ଫେଲୋମାନେ କାର୍ଯ୍ୟକରୁଛନ୍ତି। ଭିନ୍ନ ଭିନ୍ନ କ୍ଷେତ୍ରରୁ ଆସିଥିବା ଏହି ଫେଲୋମାନେ ଭାରତର ସମସ୍ତ ସ୍ମାର୍ଟସିଟିକୁ ଗସ୍ତ କରି ଅଭିଜ୍ଞତା ଓ ତଥ୍ୟ ସଂଗ୍ରହ କରୁଛନ୍ତି।

Share