ସ୍ମାର୍ଟ ଫେରିବାଲା: ସୁଟ୍‌ ବୁଟ୍‌ ପିନ୍ଧା ବହି ବିକାଳି ଗିରଫ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ): ଭାରତୀୟ ରେଳବାଇ ଷ୍ଟେଶନ ଓ ଟ୍ରେନ ଭିତରେ ଫେରିବାଲା ବିକ୍ରିକୁ ବେଆଇନ ଘୋଷଣା କରିବା ପରେ ବୁଲା ବିକାଳିଙ୍କ ଚିନ୍ତା ବଢ଼ିଯାଇଛି। ଫଳରେ କେତେକ ଅସାଧୁବ୍ୟକ୍ତି ଗଳାବାଟ କାଢ଼ି ଯାତ୍ରା କରିବା ବାହାନାରେ ଆସି ବେପାର କରୁଛନ୍ତି। ଏଭଳି ଏକ ଅସାଧୁ ବ୍ୟବସାୟୀଙ୍କୁ ଭୁବନେଶ୍ୱର ରେଳ ସୁରକ୍ଷା ବଳ ମଙ୍ଗଳବାର ଗିରଫ କରିଛି। ସେ ହେଲେ ବାଲୁଗଁାର ସଞ୍ଜୟ କୁମାର ସାହୁ। ସୂଚନାଯୋଗ୍ୟ, ସଞ୍ଜୟ ଚକାଚକ୍‌ ଫର୍ମାଲ ପୋଷାକ, ଜୋତା, ଟାଇ ପିନ୍ଧି କାନ୍ଧରେ ଏକ ବ୍ୟାଗ ପକାଇ ଜୀବ ବିଜ୍ଞାନର ଏକ ବହି ଧରି ବିକ୍ରି କରୁଥିଲେ। ତାଙ୍କ ବେଶଭୂଷା ଦେଖି କେହି ବି ତାଙ୍କୁ ବୁଲା ବିକାଳି ବୋଲି ଆଦୌ ଭାବି ପାରିବେନି। ବଛା ବଛା ଲୋକଙ୍କୁ ଦେଖି ଅଭିଯୁକ୍ତଜଣକ ବହି ବିଷୟରେ ବୁଝାଇ ବିକ୍ରି କରୁଥିଲେ। ଆର୍‌ପିଏଫ କିମ୍ବା ଜିଆରପିକୁ ଦେଖିଲେ ଫୋନ୍‌ରେ ଗପିବା ବାହାନା କରି ଖସିଯାଉଥିଲେ। ମଙ୍ଗଳବାର ଅପରାହ୍ନରେ ପ୍ଲାଟଫର୍ମ ନଂ.୬ରେ ଜଣେ ଯୁବତୀଙ୍କୁ ବହି ବିଷୟରେ ବୁଝାଉଥିବା ବେଳେ ଆରପିଏଫର ଜଣେ କନଷ୍ଟେବଳ ଅଭିଯୁକ୍ତକୁ ଧରିଥିଲେ। ପରେ ଅଭିଯୁକ୍ତଙ୍କ ବିରୋଧରେ ରେଳବାଇ ଧାରା ୧୪୪ରେ ନଂ.୧୯୯୭/୨୦୧୯ରେ ମାମଲା ରୁଜୁ ହୋଇଛି। କିଛିଦିନ ପୂର୍ବରୁ ରେଳ ସୁରକ୍ଷା ବଳ ଏଭଳି ଦୁଇଜଣ ଅସାଧୁ ବ୍ୟବସାୟୀଙ୍କୁ ଧରିଥିଲା। ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ଦୁଇ ଜଣ ଜରି ଅଖା ଭିତରେ ଚା କେଟିଲ ରଖି ଚା ବିକ୍ରି କରୁଥିଲେ। ଭୁବନେଶ୍ୱର ଷ୍ଟେଶନରେ ଓହ୍ଲାଇବାବେଳେ ଧରାପଡିଥିଲେ।

Share