ସ୍ମାର୍ଟ ସିଟିର ଶୀର୍ଷରେ ଥିବା ଇନ୍ଦୋର ବି କରୋନା କବଳରେ

ଇନ୍ଦୋର,୨।୪: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଥରାଇ ଦେଇଛି। ଭାରତରେ ଏହାର ଉପସ୍ଥିତି ଧୀରେ ଧୀରେ ବ୍ୟାପକ ହେବାରେ ଲାଗିଛି। ମହାରାଷ୍ଟ୍ରରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଦିନେ ସ୍ମାର୍ଟ ସିଟିର ସର୍ବୋଚ୍ଚ ସ୍ଥାନରେ ଥିବା ମଧ୍ୟପ୍ରଦେଶର ଇନ୍ଦୋର ସହର ବି ଏଥିରୁ ବାଦ୍‌ ପଡିନାହିଁ। ମଧ୍ୟପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ଶହେ ଛୁଇଁଥିବା ବେଳେ ଏଠାରେ ସବୁଠାରୁ ଅଧିକ ସଂକ୍ରମିତ ଇନ୍ଦୋର ସହରର ବୋଲି କୁହାଯାଉଛି। କିନ୍ତୁ କାହିଁକି ଏହି ସ୍ମାର୍ଟ ସିଟିରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଛି ତା’ର ସଠିକ୍‌ କାରଣ ଜଣାପଡି ନ ଥିବା ବେଳେ କୁହାଯାଉଛି କି ଇନ୍ଦୋର ସହରର କ୍ଷେତ୍ରଫଳ ତୁଳନାରେ ଏଠାରେ ଜନସଂଖ୍ୟା ଅଧିକ ହୋଇଥିବାରୁ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସୂଚନାଯୋଗ୍ୟ, ମାର୍ଚ୍ଚ ୨୫ରେ ଏଠାରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ କରାଯାଇଥିବା କୁହାଯାଉଥିବା ବେଳେ ଏକାଥରେ ୪ ଜଣ କରୋନାରେ ପୀଡ଼ିତ ଥିବା ଜଣାପଡିଥିଲା।

Share