ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ଥମୁନି ରାଜନୀତି

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ବିରୋଧୀ ଏବଂ ଶାସକ ଦଳ ନେତାଙ୍କ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ କାଦୁଅ ଫିଙ୍ଗା ବଢିବାରେ ଲାଗିଛି। ଏହି ଘଟଣାରେ ଯାଜପୁର ଜିଲା ଏସ୍‌ପିଙ୍କ ବିରୋଧରେ ଭାଜପାର ଏକ ପ୍ରତିନିଧି ଦଳ ଡିଜିପିଙ୍କ ନିକଟରେ ଫେରାଦ ହୋଇଛନ୍ତି। ଅନ୍ୟପଟେ କଂଗ୍ରେସ ଏହି ଘଟଣାରେ ଉଭୟ ବିଜେଡି ଓ ଭାଜପାକୁ ଦୋଷ ଦେଇଛି। ସେହିପରି ବିଜେଡି ଏହି ଘଟଣାକୁ ନେଇ ରାଜନୀତି ନ କରିବା ପାଇଁ ଯୁକ୍ତି ବାଢିଛି।
ସ୍ମିତାରାଣୀ ମୃତ୍ୟୁ ଘଟଣାରେ ରୂପେଶ ଭଦ୍ରଙ୍କୁ ପୋଲିସ ଗିରଫ କରିଛି। ରୂପେଶଙ୍କ ସହ ସ୍ମିତାରାଣୀଙ୍କ ସମ୍ପର୍କ ଥିଲା ବୋଲି ଯାଜପୁର ଏସ୍‌ପି କହିଥିଲେ। ମାତ୍ର ଏହାକୁ ବିରୋଧ କରିଛି ଭାଜପା। ଭାଜପା କହିଛି, ମୃତକ ସ୍ମିତାରାଣୀଙ୍କ ଚରିତ୍ର ହନନ କରିବା ସହ ତଦନ୍ତକୁ ପ୍ରଭାବିତ କରାଯାଉଛି। ଗୋଟିଏ ଜଘନ୍ୟ ଅପରାଧ ମାମଲାରେ ତଦନ୍ତ ଚାଲୁଥିବା ବେଳେ ତଦନ୍ତ ରିପୋର୍ଟ ବା ଚାର୍ଜଶିଟ୍‌ ଦାଖଲ ହେବା ପୂର୍ବରୁ ଏସ୍‌ପି ଚରଣସିଂହ ମୀନା ଆସି ଗଣମାଧ୍ୟମ ଆଗରେ ବିବୃତି ଦେଇ ଏହାକୁ ଆତ୍ମହତ୍ୟା ଦର୍ଶାଇ ତଦନ୍ତକୁ ପ୍ରଭାବିତ କରିବା ପାଇଁ ଏକ ଭୟଙ୍କର ଷଡଯନ୍ତ୍ର ରଚିଛନ୍ତି। ମୁଖ୍ୟ ଅଭିଯୁକ୍ତକୁ ଖସାଇବା ପାଇଁ ଏହା ବିଧିବଦ୍ଧ ଯୋଜନା। ସ୍ମିତାରାଣୀଙ୍କ ଚରିତ୍ର ହନନ କରିବା ଏବଂ ଘଟଣାକୁ ଏକ ଭିନ୍ନ ମୋଡ ଦେବା ଅଭିଯୋଗରେ ଯାଜପୁର ଏସ୍‌ପିଙ୍କ ବିରୁଦ୍ଧରେ ଦୃଢ କାଯର୍‌ୟାନୁଷ୍ଠାନ ନେବା ପାଇଁ ରବିବାର ରାଜ୍ୟ ଭାଜପା ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଦାବି କରିଛି।
ଅନ୍ୟପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଭାଜପା ଓ ବିଜେଡି ଗୋଟିଏ ଘାଟରେ ପାଣି ପିଉଛନ୍ତି। ମୁଖ୍ୟ ଅଭିଯୁକ୍ତଙ୍କ ସହିତ ଉଭୟ ବିଜେଡି ଏବଂ ଭାଜପା ନେତାଙ୍କ ଫଟୋ ରହିଛି। ମୁଖ୍ୟ ଅଭିଯୁକ୍ତଙ୍କ ସହ ବିଜେଡି ଓ ଭାଜପା ନେତାଙ୍କ ସହ ଭଲ ସମ୍ପର୍କ ଅଛି ବୋଲି ତାରା କହିଛନ୍ତି। ତାରାଙ୍କ ଏଭଳି ମନ୍ତବ୍ୟକୁ ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ସମାଲୋଚନା କରି କହିଛନ୍ତି, କାହା ସହିତ ଫଟୋ ଉଠାଇଦେଲେ ସମ୍ପର୍କ ରହିଯାଇ ନ ଥାଏ। ପ୍ରମାଣ ଦେଇ ସେ କଥାବାର୍ତ୍ତା କରନ୍ତୁ। ଅଯଥା କଥା କଂଗ୍ରେସ କହୁଛି। ଭାଜପା ମହିଳା ମୋର୍ଚ୍ଚା ସବୁବେଳେ ମହିଳା ହକ୍‌ ପାଇଁ ଲଢେଇ ଜାରି ରଖିଛି। ସ୍ମିତାରାଣୀ ହତ୍ୟାକାଣ୍ଡ କେମିତି ଘଟିଲା, ଯାଜପୁର ଏସ୍‌ପି ସେନେଇ ତଦନ୍ତ ନ କରି ରୂପେଶ ଭଦ୍ରାଙ୍କ ସହ ତାଙ୍କର କ’ଣ ସମ୍ପର୍କ ଥିଲା ସେନେଇ ତଦନ୍ତ କରିବାକୁ ଯାଇଥିଲେ। ସରକାରରେ ଥିବା ଏବଂ ବିରୋଧୀ ଭୂମିକା ତୁଲାଉଥିବା ଦଳ ସମସ୍ତେ ଏକାଠି ହୋଇ ଏହି ପ୍ରସଙ୍ଗରେ ଲଢେଇ କରିବା ଦରକାର। ଏଠି ଜଣାପଡୁଛି ଶାସକ ଦଳ ପକ୍ଷପାତିତା କରି ଅପବ୍ୟବହାର ଚଳାଉଛି ବୋଲି ସେ କହିଛନ୍ତି। ଅନ୍ୟପଟେ ବିଜେଡି ନେତ୍ରୀ ସୁଲତା ଦେଓ କହିଛନ୍ତି, ଭାଜପା ପାଖରେ କୌଣସି ପ୍ରସଙ୍ଗ ନାହିଁ। ପ୍ରତ୍ୟେକ କଥାକୁ ନେଇ ସେମାନେ ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି। ରାଜନୀତି ଛାଡି ଭାଜପା ଲୋକଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସୁଲତା କହିଛନ୍ତି।

Share