ସ୍ମିତାରାଣୀ ପ୍ରସଙ୍ଗରେ ଯାହା ଯୁକ୍ତିଯୁକ୍ତ ତାହା କରାଯିବ: ମନ୍ତ୍ରୀ

ଭୁବନେଶ୍ୱର,୮।୨(ବ୍ୟୁରୋ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରିଣୀ(ପିଇଓ)୍‌ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣାର ଏକମାତ୍ର ମୂକସାକ୍ଷୀ ବିବାଦୀୟ ଅତିଥି ଭବନ ଭଙ୍ଗାଯିବା ପରେ ରାଜନୈତିକ ଉଷ୍ମତା ପରିଲକ୍ଷିତ ହୋଇଛି। ଘଟଣାରେ ଜାଣିଶୁଣି ତଥ୍ୟ ନଷ୍ଟ କରିବାକୁ ଚେଷ୍ଟା କରୁଥିବା ଭାଜପା ଅଭିଯୋଗ କରିବା ପରେ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୋ ସରକାର, ୫-ଟି ବେଳେ ପୋଲିସର ଆଚରଣ, ଉଚ୍ଚାରଣ ବଦଳିଛି। ଏ ପ୍ରସଙ୍ଗରେ ପୋଲିସ ତତ୍ପରତାର ସହ କାମ କରୁଛି। ଘଟଣାର ତଦନ୍ତ ଚାଲିଛି। ଆଇନ ଅନୁଯାୟୀ ଯାହା ଯୁକ୍ତିଯୁକ୍ତ ତାହା କରାଯିବ ବୋଲି ସେ କହିଛନ୍ତି।

ଶନିବାର ଖବରଦାତା ସମ୍ମିଳନୀରେ ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ତଥ୍ୟ ଲୁଚାଇବାକୁ ଉକ୍ତ ଅତିଥି ଭବନକୁ ଯାଜପୁର ଜିଲା ପ୍ରଶାସନ ଜାଣିଶୁଣି ଭାଙ୍ଗିଛି। ଏପର୍ଯ୍ୟନ୍ତ ଘଟଣାର ତଦନ୍ତ ସରିନାହିଁ, ହେଲେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ହେଉଛି। ସେହିଭଳି ଜବତ ସାମଗ୍ରୀ ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ସ୍ତ୍ରୀଙ୍କୁ ହସ୍ତାନ୍ତର ହୋଇଥିବା ବେଳେ କାହିଁକି ଜବତ ହେଲାନାହିଁ। ଉକ୍ତ ଘରର ସିସିଟିଭି କୁଆଡ଼େ ଗଲା ତାହା ସ୍ପଷ୍ଟ କରାଯାଉ। ଏସ୍‌ପି ନିରପେକ୍ଷ ତଦନ୍ତ କରିନାହାନ୍ତି। ଘଟଣାରେ କେବଳ ଆର୍‌ଆଇଙ୍କୁ ନିଲମ୍ବନ କରାଯାଇଛି। ହେଲେ ଏଥିରେ ତହସିଲଦାର, ବିଡିଓଙ୍କର ମଧ୍ୟ ସମ୍ପର୍କ ରହିଛି। ସ୍ମିତାରାଣୀ ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ସିବିଆଇ ତଦନ୍ତ ଦାବି କରାଯାଇଥିଲା, ତାହା ହୋଇନାହିଁ। ଏପରିକି ମହିଳା କମିଶନ ଅଧ୍ୟକ୍ଷାଙ୍କ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ସୁପାରିସ ବି ହେଲାନି ବୋଲି ଲେଖାଶ୍ରୀ କହିଛନ୍ତି।

Share