ସ୍ମିତାରାଣୀ ପ୍ରସଙ୍ଗ: ଗୃହକୁ ଆସିଲାନି ଭାଜପା, ବିଧାନସଭା ଅପରାହ୍ନ ୩ ପର୍ଯ୍ୟନ୍ତ ମୁଲତବୀ

ଭୁବନେଶ୍ୱର,୧୮।୧୧(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବା ଦିନଠାରୁ ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ଗୃହରେ ହଟ୍ଟଗୋଳ ଲାଗିରହିଛି। ଗୃହରେ ଭାଜପା ନେତାମାନଙ୍କୁ ସ୍ମିତାରାଣୀ ମାମଲା ବିଷୟରେ କହିବାର ସୁଯୋଗ ଦିଆଯାଉନାହିଁ। ଏହାକୁ ବିରୋଧ କରି ସୋମବାର ଗୃହକୁ ନ ଯିବା ପାଇଁ ନିଷ୍ପତି ନେଇଛି ଭାଜପା। ଦଳର ନେତାମାନେ ଏହାର ପ୍ରତିବାଦରେ ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ଆମକୁ ବିଧାନସଭାରେ କହିବାକୁ ଅନୁମତି ଦିଆଯାଉ ନାହିଁ। ସ୍ମିତାରାଣୀ ମାମଲାରେ ୪ ଅଭିଯୁକ୍ତଙ୍କ ନାଁକୁ ବାଦ୍‌ ଦିଆଯାଇଛି। କାହା ନିର୍ଦ୍ଦେଶରେ ଏଭପରି କରାଯାଇଛି ତାହା ସରକାର ସ୍ପଷ୍ଟ କରନ୍ତୁ। ୩୦୬ ନୁହେଁ, ୩୦୨ ଧାରାରେ ମାମଲା ରୁଜୁ ହେବା ଦରକାର ବୋଲି ପ୍ରଦୀପ୍ତ ଦାବି କରିଛନ୍ତି। ସେପଟେ ଗୃହରେ କଂଗ୍ରେସ ଚାଷୀଙ୍କୁ ଟୋକନ୍‌ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଛି। ଫଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅପରାହ୍ନ ୩ ପର୍ଯ୍ୟନ୍ତ ମୂଲତବୀ ଘୋଷଣା କରିଛନ୍ତି।

Share