Advertisement

ସ୍ମୃତିଶକ୍ତି ବୃଦ୍ଧି କରିବାକୁ ଚାହୁଁଥିଲେ ମନେ ମନେ ଗାଆନ୍ତୁ ଗୀତ

ବୟସର ମଧ୍ୟବର୍ତ୍ତୀ ସୋପାନରେ ପହଞ୍ଚିବା ପରେ ଶାରୀରିକ ଏବଂ ମାନସିକ ରୂପରେ ଧୀରେ ଧୀରେ ମଣିଷ ଦୁର୍ବଳ ହୋଇପଡ଼େ। ଏସମୟରେ ଅନେକଙ୍କ କ୍ଷେତ୍ରରେ ସ୍ମୃତି ଶକ୍ତି ହ୍ରାସ ହେବା ଭଳି ସମସ୍ୟା ଦେଖାଯାଏ। ସ୍ବିଡେନ୍‌ରେ ୮୦୦ ମହିଳାଙ୍କ ଉପରେ ଏକ ଗବେଷଣା କରାଯାଇଥିଲା, ଯେଉଁମାନଙ୍କ ବୟସ ପ୍ରାୟ ୪୭ ବର୍ଷରୁ ଊର୍ଦ୍ଧ୍ୱ ଥିଲା। ନ୍ୟୁରୋଲଜି ଜର୍ଣ୍ଣାଲ୍‌ରେ ପ୍ରକାଶିତ ଏହି ଗବେଷଣା ଅନୁସାରେ, ମାନସିକ ଗତିବିଧି ଆଧାରରେ ପଢ଼ିବା, ବାଦ୍ୟଯନ୍ତ୍ର ବଜାଇବା, ସାମୂହିକ ଗୀତ ଗାଇବା, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବା, ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହେବା ଆଦି ଏ ବୟସର ମହିଳାଙ୍କୁ ଖୁବ୍‌ ଆରାମ ଦେଇଥାଏ। ସ୍ବିଡେନ୍‌ର ଗୋଥେନବର୍ଗ ବିଶ୍ୱବିଦ୍ୟାଳୟର ଜେନ୍ନା ନଜର୍‌ଙ୍କ ମତରେ, ଏ ସମସ୍ତ ଗତିବିଧି ଯଦି ସବୁବେଳେ ଚାଲୁରହିଥାଏ, ତେବେ ତାହା ବୃଦ୍ଧାବସ୍ଥାରେ ଲୋପ ପାଇବାକୁ ଯାଉଥିବା ସ୍ମୃତିଶକ୍ତିକୁ ରୋକିବାରେ ସାହାଯ୍ୟ କରେ। କାରଣ ଏସବୁ ସଂଜ୍ଞାନାତ୍ମକ ସ୍ବାସ୍ଥ୍ୟକୁ ସଂରକ୍ଷିତ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ଗବେଷଣାରୁ ଆହୁରି ମଧ୍ୟ ଜଣାପଡ଼ିଛି, ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରୁ ନ ଥିବା ଲୋକେ ଯଦି ଘରେ ବସି ଯେକୌଣସି କାମ କରିବା ବେଳେ ମନେମନେ ଗୀତ ଗୁଣୁଗୁଣାନ୍ତି, ତେବେ ତାହା ସ୍ମୃତିଶକ୍ତି ହ୍ରାସ ହେବାରୁ ରକ୍ଷା କରିଥାଏ। ଏଭଳି ସହଜ ଉପାୟ ଥାଉ ଥାଉ, ସ୍ମୃତି ଶକ୍ତି ପ୍ରଖର କରିବାକୁ କାହଁିକି ମୂଲ୍ୟବାନ୍‌ ସମୟ ଏବଂ ଟଙ୍କା ଖର୍ଚ୍ଚ କରିବେ। ଏହାକୁ ବିନା ପଇସାରେ ନିଜ ଜୀବନରେ ସାମିଲ କରିପାରିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share