ସ୍ମୃତି @ ୬୦

ଡ. ରଜନୀ ରଞ୍ଜନ। ପେସା ଅଧ୍ୟାପନା, ହେଲେ ନିଶା ସଂଳାପ ରଚନା। ଓଲିଉଡ୍‌ର ଜଣେ ଆଗଧାଡ଼ିର ସଂଳାପକାର ଭାବରେ ସାଉଁଟିଛନ୍ତି ଅନେକ ପ୍ରଶଂସା। ଚଳିତ ମାସ ୨୨ରେ ସେ ୬୦ବର୍ଷ ବୟସରେ ପ୍ରଦାର୍ପଣ କରୁଛନ୍ତି। ୧୯୯୩ରେ ତାଙ୍କର ଓଡ଼ିଆ ସିନେମାରେ ସଂଳାପ ରଚନା ଆରମ୍ଭ ହୋଇଥିଲା ଆଉ ଚଳଚ୍ଚିତ୍ରଟି ଥିଲା ‘ମୋ ଭାଇ ଜଗା’। ୟା ଭିତରେ ସେ ୬୧ଟି ଚଳଚ୍ଚିତ୍ରର ସଂଳାପ ରଚନା କରି ନିଜ କ୍ୟାରିୟରରେ ଆଉ ଏକ ସ୍ମରଣୀୟ ଫର୍ଦ୍ଦ ଯୋଡିଛନ୍ତି। ଓଡ଼ିଆ ସିନେମାରେ ଦୀର୍ଘ ୨୬ ବର୍ଷ ଧରି ସେ ନିଜକୁ ଜଡ଼ିତ ରଖିଛନ୍ତି। କେବଳ ସେତିକି ନୁହେଁ ବେଶ୍‌ କେତୋଟି ସିନେମାର ସଂଳାପ ତାଙ୍କୁ ଚର୍ଚ୍ଚିତ ମଧ୍ୟ କରାଇଛି। ଏ ସମ୍ପର୍କରେ ବର୍ତ୍ତମାନ ଏକ କଲେଜର ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଥିବା ରଜନୀ କହନ୍ତି, ‘ମୋର ପ୍ରତିଟି ସିନେମାର ସଂଳାପରେ ମୁଁ ଏକ୍ସପେରିମେଣ୍ଟ କରିଥାଏ। ‘ପିଲାଟା ବିଗିଡ଼ି ଗଲା’, ଜୟ ଜଗନ୍ନାଥ’, ‘ଲୋଫର’, ‘ସଞ୍ଜୁ ଆଉ ସଞ୍ଜନା’, ‘ପହିଲି ରଜ’, ‘ଗୁଡବୟ’, ‘ପ୍ରେମ ରୋଗୀ’କୁ ଉଦାହରଣ ଭାବରେ ନେଇପାରନ୍ତି। ଏ ସବୁର ସଂଳାପ କେତେ ପ୍ରଭାବଶାଳୀ ତାହା ପ୍ରମାଣିତ ହୋଇସାରିଛି। କେବଳ ସଂଳାପ ନୁହେଁ, ଗୀତ ରଚନା ମୋର ଆଉ ଏକ ଅଭ୍ୟାସ। ମୋଟ ଉପରେ କହିବାକୁ ଗଲେ ଗୀତ ମୋ ପ୍ରେମିକା ଆଉ ସଂଳାପ ମୋ ସ୍ତ୍ରୀ। ମୋର ମନେ ପଡୁଛି ସବ୍ୟସାଚୀ ମହାପାତ୍ରଙ୍କ ‘ବୋଉ’ ସିନେମାର ଟାଇଟଲ ଗୀତ ‘ମମତା ନଈରେ ସୁନା ବୋଇତ, ଆକାଶଠୁ ବଡ ଯା’ର ପଣତ’ ରଚନା କରିବା ସମୟର କଥା। ଗୀତଟି ରଚନା କରିବା ବେଳେ କେମିତି ଆରମ୍ଭ କରିବି ଜାଣିପାରି ନ ଥିଲି। ସେହିଦିନ ରାତିରେ ଶୋଇଥିବା ବେଳେ ମୋ ବୋଉ ସ୍ବପ୍ନରେ ଆସି ମୋ ମୁଣ୍ଡ ଆଉଁଶି ଆଶୀର୍ବାଦ କରିଥିଲା। ଆଉ ତା’ପରଦିନ ମୁ ଁ ଗୀତଟିକୁ ଲେଖିବାରେ ସଫଳ ହୋଇଥିଲି। ନିକଟରେ ମୁଁ ଚାକିରିରୁ ଅବସର ନେବା ପରେ ଓଡ଼ିଆ ସିନେମା ସହ ଆହୁରି ନିଜକୁ ଜଡିତ ରଖିବି।’ ରଜନୀଙ୍କ ସଂଳାପକୁ ଆଧାର କରି ଏବେ ୬ଟି ସିନେମା-‘ଶହୀଦ ରଘୁ ସର୍ଦ୍ଦାର’, ‘ତୁ ମୋ ଡାର୍ଲିଂ’, ‘ତୁ ମୋର ନିହାତି ଦରକାର’, ‘ଲୈଲା ମଜ୍‌ନୁ’, ‘ଟିକେ ଲଭ୍‌ ଟିକେ ଟ୍ବିଷ୍ଟ’ ଏବଂ ‘ତୁ ମୋ ଧଡକନ୍‌’ ରିଲିଜ ଅପେକ୍ଷାରେ ରହିଛି।

Share