ସ୍ଲିପର,ଏସି ବଗି ଫାଟକ ବନ୍ଦ: ଯାତ୍ରୀ ହଇରାଣ

ଛତ୍ରପୁର,୧ା୧(ଡି.ଏନ.ଏ): ଛତ୍ରପୁର ଷ୍ଟେଶନରେ ରହୁଥିବା ବିଭିନ୍ନ ଟ୍ରେନ୍‌ର ସ୍ଲିପର ଓ ଏସି ବଗିର ଫାଟକ ବନ୍ଦ ରହୁଛି। ଫଳରେ ଏସବୁ ବଗିରେ ଯିବାପାଇଁ ଟିକେଟ କରିଥିବା ଯାତ୍ରୀମାନେ ଟ୍ରେନ୍‌ରେ ଚଢିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଛତ୍ରପୁର ଷ୍ଟେଶନରେ ଏକ୍ସପ୍ରେସ୍‌, ସୁପରଫାଷ୍ଟ ଓ ମେଲ୍‌ ଟ୍ରେନ୍‌ ମାତ୍ର ୨ ମିନିଟ ପାଇଁ ରହଣି କରିଥାଏ। ବୁଧବାର ଭୁବନେଶ୍ୱରରୁ ସିକନ୍ଦରାବାଦ ଯାଉଥିବା ବିଶାଖା ଏକ୍ସପ୍ରେସ୍‌ର ଏସି ବଗି ଫାଟକ ବନ୍ଦ ରହିଥିବାରୁ ଛତ୍ରପୁର ଗୌତମ ନଗରର ଏସ୍‌. ସାମ୍ବା ଶିବା ରାଓଙ୍କ ପରିବାର ସମସ୍ୟାରେ ପଡିଥିଲେ। ପରେ ଏ ସମ୍ପର୍କରେ ଷ୍ଟେଶନ ମ୍ୟାନେଜରଙ୍କୁ ଶିବା ରାଓ ଲିଖିତ ଅଭିଯୋଗ କରିଛନ୍ତି। ବିଭିନ୍ନ ସମୟରେ ଏପରି ଦେଖା ଦେଉଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି। ସ୍ଲିପର ଓ ଏସି ଯାତ୍ରୀ ପ୍ରଥମେ ଜେନେରାଲ ଓ ଅନ୍ୟ ବଗିରେ ଚଢିବାକୁ ପଡ଼ୁଛି। ପରେ ବ୍ରହ୍ମପୁର ଓ ବାଲୁଗାଁ ଷ୍ଟେଶନରେ ଓହ୍ଲାଇ ନିଜ ବଗିକୁ ଯିବାକୁ ପଡୁଛି। ଏହି ସମସ୍ୟାର ସମାଧାନ ଦାବି କରିଛନ୍ତି ଓକିଲ ବି. ଶ୍ରୀନିବାସ। ଏସି ବଗିରେ ଆଟେନାଣ୍ଟ ରହୁଥିବାରୁ ଫାଟକ ଖୋଲାଯିବା କଥା। ମାତ୍ର ଏହା କରାଯାଉନି। ଏପରିକି ଛତ୍ରପୁର ଷ୍ଟେଶନରୁ ଯାତ୍ରୀମାନେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ବୋର୍ଡିଂ ଏଠାରୁ ଟିକେଟ୍‌ ସଂରକ୍ଷଣ ବେଳେ ରହିଥାଏ। ଏଥିପାଇଁ ଟିଟି ମଧ୍ୟ ଧ୍ୟାନ ଦେବାକୁ ଦାବି ହୋଇଛି।

Share