ସ୍ୟାଟ୍‌କୁ ନେଇ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଜଣିକିଆ ଖଣ୍ଡପୀଠରେ ହେବ ମାମଲାର ଶୁଣାଣି

କଟକ ଅଫିସ, ୬।୧୨ :ସ୍ୟାଟ୍‌(ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ) ଉଚ୍ଛେଦ ଉପରେ କେନ୍ଦ୍ର ମୋହର ଲଗାଇବା ପରେ ଏହା ଏକପ୍ରକାର ଅଚଳ ହୋଇପଡ଼ିଛି। ସ୍ୟାଟ୍‌ରେ ଅଚଳାବସ୍ଥା ଯୋଗୁ ଏଠାରେ ରୁଜୁ ହୋଇଥିବା ମାମଲାଗୁଡ଼ିକର ବିଚାରରେ ସମସ୍ୟା ଉପୁଜିଛି। ଏଭଳି ସ୍ଥିତିରେ ଗୁରୁବାର ସ୍ୟାଟ୍‌କୁ ନେଇ ହାଇକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ସ୍ୟାଟ୍‌ରେ ବିଚାରାଧୀନ ଥିବା ମାମଲାଗୁଡିକୁ ଯଦି ଆବେଦନକାରୀମାନେ ହାଇକୋର୍ଟକୁ ଆଣନ୍ତି ତେବେ ତାହା ହାଇକୋର୍ଟରେ ପଞ୍ଜୀକୃତ ହେବ। ମାମଲାଟିର ପଞ୍ଜୀକରଣ ପରେ ତାହା ଜଣିକିଆ ଖଣ୍ଡପୀଠରେ ଶୁଣାଣି କରାଯିବ। ରାଜ୍ୟର କଟକ, ଭୁବନେଶ୍ୱର, ସମ୍ବଲପୁର ଓ ବ୍ରହ୍ମପୁର ଆଦି ଖଣ୍ଡପୀଠରୁ ହାଇକୋର୍ଟକୁ ଆସୁଥିବା ମାମଲାଗୁଡ଼ିକର ଏହିଭଳି ଭାବେ ଶୁଣାଣି କରାଯିବ। ତେବେ ହାଇକୋର୍ଟରେ ମାମଲାଗୁଡ଼ିକର ପଞ୍ଜୀକରଣ ହେବା ପରେ ତାହାର ନୂଆ ନାମକରଣ କରାଯିବ। ହାଇକୋର୍ଟଙ୍କ ପକ୍ଷରୁ ଗୁରୁବାର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନ ସୁଦ୍ଧା ସ୍ୟାଟ୍‌ରେ ଅନୂ୍ୟନ ୭୦ ହଜାର ମାମଲା ବିଚାର ଅପେକ୍ଷାରେ ପଡି ରହିଛି।
ସୂଚନାଥାଉ କି, ସ୍ୟାଟ୍‌ ଉଚ୍ଛେଦ ନେଇ ପ୍ରଥମେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଉକ୍ତ ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ଅଛି। ମାତ୍ର ସ୍ୟାଟ୍‌ ଉଚ୍ଛେଦ ପ୍ରକ୍ରିୟା ଉପରେ କେନ୍ଦ୍ର ମୋହର ମାରିବା ପରେ ଏହା ଏକପ୍ରକାର ଅଚଳ ହୋଇପଡ଼ିଥିଲା। ନିଯୁକ୍ତି ଆଦି ମାମଲାକୁ ନେଇ ସ୍ୟାଟ୍‌ର ଦ୍ୱାରସ୍ଥ ହୋଇଥିବା ଆବେଦନକାରୀମାନେ ଏକପ୍ରକାର ଦୋଛକି ଭିତରେ ରହିଥିଲେ।

Share