ସ୍ୟାଟ୍‌ ଉଚ୍ଛେଦ ପ୍ରସଙ୍ଗ : ଆଜି ଆଇନଜୀବୀଙ୍କ ଆନ୍ଦୋଳନ

କଟକ ଅଫିସ, ୯।୮ : ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‌) ଉଚ୍ଛେଦ ନେଇ ଶୁକ୍ରବାର ଆଇନଜୀବୀମାନେ ଆନ୍ଦୋଳନ କରିବେ। ଏହି ଆନ୍ଦୋଳନ ଗୋଟିଏ ଦିନ ହେବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ଆନ୍ଦୋଳନର ସମୟକୁ ନେଇ ନିଷ୍ପତ୍ତି ନିଆଯିବ ବୋଲି ସ୍ୟାଟ୍‌ ବାର ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ଆନ୍ଦୋଳନକୁ ହାଇକୋର୍ଟ ବାର୍‌ ଆସୋସିଏଶନ, ହାଇକୋର୍ଟ କ୍ରିମିନାଲ ବାର୍‌, କେନ୍ଦ୍ର ପ୍ରଶାସନିକ ଟ୍ରିବ୍ୟୁନାଲ ବାର୍‌, ଡେବ୍ଟ ରିକଭରି ଟ୍ରିବ୍ୟୁନାଲ ବାର୍‌, କଞ୍ଜୁମର ବାର୍‌, କ୍ଲେମ୍‌ ବାର୍‌, ରେଲ୍‌ ବାର୍‌, ଭୁବନେଶ୍ୱର ବାର୍‌ ଆସୋସିଏଶନ ପ୍ରମୁଖ ସମର୍ଥନ ଜଣାଇଛି।
ସ୍ୟାଟ୍‌ ଉଚ୍ଛେଦ ଯୋଗୁ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଅନେକ କର୍ମଚାରୀ ନ୍ୟାୟ ପାଇବାକୁ ବଞ୍ଚିତ ହେବେ। ସ୍ୟାଟ୍‌ ଯୋଗୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ୯୦ ପ୍ରତିଶତ ମାମଲା ସମାଧାନ ହୋଇପାରୁଥିଲା। ଏହି କୋର୍ଟରେ ମାମଲା ସମାଧାନ ହୋଇ ନ ପାରିଲେ ତାହା ହାଇକୋର୍ଟକୁ ଯାଉଥିଲା। ହାଇକୋର୍ଟରେ ୨୭ଜଣ ବିଚାରପତିଙ୍କ ସ୍ଥାନରେ ମାତ୍ର ୧୪ଜଣ ରହିଥିବାରୁ ରାଜ୍ୟ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଏଠାରେ ସମାଧାନ ହେବା କଷ୍ଟକର ହେବ। ନ୍ୟାୟ ପାଇବା ପାଇଁ ସେମାନଙ୍କୁ ବର୍ଷବର୍ଷ ଲାଗିଯିବ ବୋଲି କଟକ ଟ୍ୟାକ୍ସବାର୍‌ ଆସୋସିଏଶନର ସଭାପତି ନଟବର ପଣ୍ଡା, ଉପଦେଷ୍ଟା ପ୍ରଦୀପ ପଟ୍ଟନାୟକ, ହାଇକୋର୍ଟ ବାର୍‌ ଆସୋସିଏଶନ ସଭାପତି ଗୋପାଳକୃଷ୍ଣ ମହାନ୍ତି, ସମ୍ପାଦକ ସଞ୍ଜୟ କୁମାର ଦାସ, ହାଇକୋର୍ଟ କ୍ରିମିନାଲ ବାର୍‌ ଆସୋସିଏଶନ ସଭାପତି କାମଦେବ କାନୁନ୍‌ଗୋ, ସ୍ୟାଟ୍‌ ବାର୍‌ ଆସୋସିଏଶନ ସମ୍ପାଦକ ଶଶିଭୂଷଣ ଜେନା କହିଛନ୍ତି।
ସୂଚନାଯୋଗ୍ୟ, ୧୯୮୬ ଜୁଲାଇ ୧୪ରେ ସ୍ୟାଟ୍‌ ପ୍ରତିଷ୍ଠା ହୋଇଥିଲା। ୨୦୧୪ ଫେବୃୟାରୀ ୧୮ରେ ସ୍ୟାଟ୍‌ରେ ୮ଜଣ ସଦସ୍ୟ ରହିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଭୁବନେଶ୍ୱର ଏହାର ପ୍ରମୁଖ ବେଞ୍ଚ ହୋଇଥିଲା। ତେବେ କଟକ ବେଞ୍ଚ ସହିତ ସମ୍ବଲପୁର ଓ ବ୍ରହ୍ମପୁର ସର୍କିଟ୍‌ ବେଞ୍ଚ ପ୍ରତିଷ୍ଠା କରାଯାଇଥିଲା। ମାତ୍ର ରାଜ୍ୟ ସରକାରଙ୍କ କ୍ୟାବିନେଟ୍‌ ୨୦୧୫ ସେପ୍ଟେମ୍ବର ୯ରେ ସ୍ୟାଟ୍‌ ଉଚ୍ଛେଦ ଲାଗି ନିଷ୍ପତ୍ତି ନେଇ ହାଇକୋର୍ଟଙ୍କ ଅନୁମୋଦନ କ୍ରମେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା। ଏ ନେଇ ସୋମବାର କେନ୍ଦ୍ର ସରକାର ସ୍ୟାଟ୍‌ ଉଚ୍ଛେଦ ନେଇ ଗେଜେଟ୍‌ ନୋଟିଫିକେସନ ପ୍ରକାଶ କରିଥିଲେ।

Share