ସ୍ୱାମୀଙ୍କ ସହ ପ୍ରଥମ ସାକ୍ଷାତକୁ ମନେ ପକାଇଲେ ନିନା

ମୁମ୍ବାଇ: ବଲିଉଡ୍‌ର ବିଗତ ଦିନର ନାୟିକା ନିନା ଗୁପ୍ତା ଏବେ ବେଶ୍ ଚର୍ଚ୍ଚାରେ । ସବୁବେଳେ ନିଜ ପର୍ସନାଲ ଲାଇଫକୁ ନେଇ ଖୋଲାଖୋଲି କଥା ହେଉଥିବା ଏହି ନାୟିକା ଏବେ ପୁଣିଥରେ ନିଜ ସ୍ୱାମୀଙ୍କ ପ୍ରଥମ ସାକ୍ଷାତ୍‌କାରକୁ ନେଇ କଥା ହୋଇଛନ୍ତି । ଏବେ ନିନା ତାଙ୍କ ଡିଜାଇନର ଝିଅ ମସାବାଙ୍କ ସହ ଆସୁଥିବା ଫିଲ୍ମ ‘ମସାବା-ମସାବା’କୁ ନେଇ ଅଛନ୍ତି ଚର୍ଚ୍ଚାରେ । ଏହି ଫିଲ୍ମଟି ନିନା ଓ ତାଙ୍କ ଝିଅଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ କରାଯାଉଛି । ପ୍ରଥମଥର ଲାଗି ନିନା ତାଙ୍କ ସ୍ୱାମୀ ବିବେକ ମେହେରାଙ୍କ ସମ୍ପର୍କରେ ଖୋଲାଖୋଲି କଥା ହୋଇଛନ୍ତି । ନେହା ଧୂପିଆଙ୍କ ଟକ୍ ଶୋ’ ‘ନୋ ଫିଲ୍‌ଟର ନେହା’ରେ ବିବେକଙ୍କ ସହ ଥିବା ବଣ୍ଡିଂକୁ ନେଇ କଥା ହୋଇଛନ୍ତି । ସେ କହିଛନ୍ତି ବିବେକଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ୍ ବିମାନରେ ହୋଇଥିଲା । ସେ ଲଣ୍ଡନରୁ ମୁମ୍ବାଇ ଫେରୁଥିବା ବେଳେ ବିବେକ ମଧ୍ୟ ଲଣ୍ଡନରୁ ମୁମ୍ବାଇ ଆସୁଥିଲେ । ଯଦିଓ ବିବେକ ଦିଲ୍ଲୀ ବାସିନ୍ଦା କିନ୍ତୁ ସେ କୌଣସି କାମରେ ସିଧା ମୁମ୍ବାଇ ଆସୁଥିଲେ । ସେହି ବିମାନରେ ଜଣେ ମହିଳାଙ୍କୁ ତାଙ୍କ ସିଟ୍ ବଦଳାଇବାକୁ ପଡିବାରୁ ବିବେକ ତାଙ୍କ ସିଟ୍ ଉକ୍ତ ମହିଳାଙ୍କୁ ଦେଇ ନିନାଙ୍କ ପାଖ ସିଟ୍‌ରେ ବସିଥିଲେ । ଭାଗ୍ୟ ଉପରେ ନିନା ଖୁବ୍ ବିଶ୍ୱାସ କରନ୍ତି । ପାଖରେ ବସି ବିବେକ ଯେତେବେଳେ ତାଙ୍କୁ କହିଥିଲେ ହଁ ତୁମେ ହେଉଛ ସିଏ ଯିଏ ମୋତେ ଫସେଇ ଦେଇଛି । ଆଉ ମୁଁ ଫସି ଯାଇଛି । ଯଦି ମୋ ସହ ଖୁସି ତେବେ ରୁହ ନତେଚ୍ ଯାଅ । ଆଉ ଏହାପରେ ନିନା ବିବେକଙ୍କୁ ବିବାହ କରି ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥିବା କହିଛନ୍ତି । ସୂଚନାଯୋଗ୍ୟ, ନିନା ୱେଷ୍ଟଇଣ୍ଡିଜ କ୍ରିକେଟ ଖେଳାଳି ଭିଭିୟାନ୍ ରିଚର୍ଡସଙ୍କ ସହ ଗୋଟିଏ ରାତି କଟାଇଥିବା ବେଳେ ତାଙ୍କ ଔରଷରୁ ନିନା ଜନ୍ମ ଦେଇଥିଲେ ମସାବାଙ୍କୁ । ହେଲେ ସେ କେବେ ରିଚାର୍ଡସଙ୍କୁ ବିବାହ କରି ନ ଥିଲେ । ସିଙ୍ଗଲ ମଦର ଭାବେ ସେ ମସାବାଙ୍କୁ ପାଳନ କରି ପରେ ବିବେକଙ୍କୁ ବିବାହ କରିଥିଲେ ।

Share