Categories: ଖେଳ

ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟ: ଦୀପକଙ୍କ ଦ୍ୱିତୀୟ ହ୍ୟାଟ୍ରିକ

ଥିରୁଭାନନ୍ତପୁରମ,୧୨।୧୧- ୨୭ ବର୍ଷୀୟ ଭାରତୀୟ ମଧ୍ୟଗତିର ବୋଲର ଦୀପକ ଚହର ୩ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ହ୍ୟାଟ୍ରିକ ଉଇକେଟ ହାସଲ କରିବାର ବିରଳ ସୌଭାଗ୍ୟ ଲାଭ କରିଛନ୍ତି। ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ମଙ୍ଗଳବାର ବିଦର୍ଭ ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନର ଏହି ଉଦୀୟମାନ ବୋଲର ପୁଣି ହ୍ୟାଟ୍ରିକ ଉଇକେଟ ସଫଳତା ପାଇଛନ୍ତି। ହ୍ୟାଟ୍ରିକ ସହ ଗୋଟିଏ ଓଭରରେ ୪ ଉଇକେଟ୍‌ ନେବା ସତ୍ତ୍ୱେ ଦୀପକ କିନ୍ତୁ ତାଙ୍କ ଟିମ୍‌କୁ ପରାଜୟରୁ ରକ୍ଷା କରିପାରି ନ ଥିଲେ। ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ରାଜସ୍ଥାନ ୧ ରନରେ ପରାସ୍ତ ହୋଇଥିଲା।

ସ୍ଥାନୀୟ ଗ୍ରୀନଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଗ୍ରୁପ୍‌-ବି’ର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବିଦର୍ଭ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। କିନ୍ତୁ ମ୍ୟାଚ୍‌ ମଝିରେ ବର୍ଷା ହେବାକୁ ଏହାକୁ ୧୩ ଓଭର ବିଶିଷ୍ଟ କରାଯାଇଥିଲା। ଅଧିନାୟକ ଚହରଙ୍କ ବୋଲିଂକୁ ସାମ୍ନା କରି ନ ପାରି ବିଦର୍ଭ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ୍‌ ହରାଇ ୯୯ ରନ କରିଥିଲା। ଅନ୍ତର୍ଜାତୀୟ ଟି୨୦ରେ ଦେଶର ପ୍ରଥମ ପୁରୁଷ ଖେଳାଳି ଭାବେ ହ୍ୟାଟ୍ରିକ ନେଇଥିବା ଚହର ୩ ଓଭରରେ ୧୮ ରନ୍‌ ବ୍ୟୟ କରି ୪ ଉଇକେଟ ହାତେଇଛନ୍ତି। ଏହି ୪ଟି ଯାକ ଉଇକେଟ୍‌ ସେ ଗୋଟିଏ ଓଭରରେ ନେଇଥିଲେ। ବିଦର୍ଭ ଇନିଂସର ଅନ୍ତିମ ତଥା ୧୩ତମ ଓଭର ବୋଲିଂ କରିଥିବା ଦୀପକ ପ୍ରଥମ ବଲରେ ରୂପେଲ ରାଠୋର (୩ ରନ)ଙ୍କୁ ଭାଇ ରାହୁଲ ଚହରଙ୍କ ହାତରେ କ୍ୟାଚ୍‌ କରାଇନେଇଥିଲେ। ଏହାପରେ ଓଭର ଅନ୍ତିମ ୩ଟି ବଲରେ ସେ ଯଥାକ୍ରମେ ଦର୍ଶନ ନାଲକାଣ୍ଡେ (୦), ଶ୍ରୀକାନ୍ତ ଓ୍ବାଗ (୧୩) ଓ ଅକ୍ଷୟ ଓ୍ବାଦ (୦)ଙ୍କୁ ଆଉଟ୍‌ କରି ହ୍ୟାଟ୍ରିକ ହାସଲ କରିଥିଲେ। ଏହାପରେ ଭିଜେଡି ମେଥଡରେ ରାଜସ୍ଥାନ ସମ୍ମୁଖରେ ୧୦୭ ରନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଜବାବରେ ରାଜସ୍ଥାନ ଓପନର୍‌ ମନିନ୍ଦର ସିଂ (୪୪ ରନ, ୧୭ ବଲ, ୬ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ତ୍ୱେ ୮ ଉଇକେଟ୍‌ ହରାଇ ୧୦୫ ରନ କରିବାକୁ ସମର୍ଥ ହୋଇଥିଲା। ଉଲ୍ଲେଖଥାଉ କି, ଗତ ରବିବାର ବାଂଲାଦେଶ ବିପକ୍ଷ ଅନ୍ତିମ ତଥା ତୃତୀୟ ଟି୨୦ରେ ସେ ମାତ୍ର ୭ ରନ୍‌ ଦେଇ ୬ ଉଇକେଟ ନେଇ ବିଶ୍ୱରେକର୍ଡ ଅଧିକାରୀ ହୋଇଥିଲେ। ଏଥିରେ ତାଙ୍କର ହ୍ୟାଟ୍ରିକ ମଧ୍ୟ ରହିଥିଲା। ଦୀପକଙ୍କ ଏହି ମାରାତ୍ମକ ସ୍ପେଲ ଯୋଗୁ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୨-୧ ବ୍ୟବଧାନରେ ଜିତି ନେଇଥିଲା।

Share