Categories: ଖେଳ

ସୟଦ ମୁସ୍ତାକ ଅଲି ଟ୍ରଫି: ପୃଥ୍ବୀ ଶ’ଙ୍କ ପ୍ରଭାବୀ ପ୍ରତ୍ୟାବର୍ତ୍ତନ

ମୁମ୍ବାଇ, ୧୭।୧୧ (ପି.ଟି.)- ଡୋପିଂ ମାମଲାରେ ୮ ମାସ ବାସନ୍ଦ ଦଣ୍ଡ ଭୋଗି କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଥିବା ମୁମ୍ବାଇ ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ପ୍ରଥମ ମ୍ୟାଚ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ରବିବାର ଅନୁଷ୍ଠିତ ସୟଦ ମୁସ୍ତାକ ଅଲି ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟର ଆସାମ ବିପକ୍ଷ ମ୍ୟାଚ୍‌ରେ ସେ ୬୩ ରନର ଏକ ଦ୍ରୁତ ଇନିଂସ ଖେଳିଥିଲେ। ମୁମ୍ବାଇ ଏହି ମ୍ୟାଚ୍‌କୁ ୮୩ ରନରେ ସହଜରେ ଜିତି ନେଇଥିଲା।
ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଟସ୍‌ ହାରି ମୁମ୍ବାଇ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା। ଘରୋଇ ଗ୍ରାଉଣ୍ଡରେ ସମସ୍ତଙ୍କ ନଜର ୨୦ ବର୍ଷୀୟ ଶ’ଙ୍କ ଉପରେ ରହିଥିଲା। ଡୋପ୍‌ ଟେଷ୍ଟରେ ବିଫଳ ହୋଇ ବାସନ୍ଦ ହେବା ପରେ ତାଙ୍କର ଏହା ପ୍ରଥମ ମ୍ୟାଚ୍‌ ଥିଲା। ଜୟ ବିସ୍ତଙ୍କ ସ୍ଥାନରେ ଖେଳିଥିବା ପୃଥ୍ବୀ ସାଥୀ ଓପନର୍‌ ତଥା ଉଇକେଟ୍‌କିପର ଆଦିତ୍ୟ ତାରେଙ୍କ ସହ ମିଶି ପ୍ରଥମ ଉଇକେଟ୍‌ରେ ୧୩୮ ରନର ଭାଗୀଦାରି କରି ଦଅଢ଼ ମୂଳଦୁଆ ପକାଇଥିଲେ। ତାରେ ୪୮ ବଲରୁ ୮୨ (୧୨ ଚୌକା, ୧ ଛକା) ରନ କରି ପ୍ରଥମେ ଆଉଟ୍‌ ହୋଇଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ପରବର୍ତ୍ତୀ ବଲରେ ରିୟାନ ପରାଗଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଲୟରେ ଖେଳୁଥିବା ପୃଥ୍ବୀ ମଧ୍ୟ ପରବର୍ତ୍ତୀ ଓଭରରେ ୬୩ ରନ (୩୯ ବଲ୍‌, ୭ ଚୌକା, ୨ ଛକା) ଆଉଟ୍‌ ହେବା ଫଳରେ ମୁମ୍ବାଇ ବ୍ୟାକ୍‌ଫୁଟ୍‌କୁ ଚାଲିଆସିଥିଲା। ତେବେ ମଧ୍ୟକ୍ରମରେ ସିଦ୍ଧେଶ ଲାଡ୍‌ ୧୪ ବଲରୁ ୩୨ ରନର ଅପରାଜିତ ଇନିଂସ ଖେଳିବାରୁ ମୁମ୍ବାଇ ୨୦ ଓଭରରେ ୫ ଉଇକେଟ୍‌ ହରାଇ ୨୦୬ ରନ କରିବାକୁ ସମର୍ଥ ହୋଇଥିଲା। ଜବାବରେ ଅବୁ ନଚିମଙ୍କ ନେତୃତ୍ୱାଧୀନ ଆସାମ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ୍‌ ହରାଇ ୧୨୩ ରନ କରିଥିଲା। ରିୟାନ ୩୨ ଏବଂ ଶିବଶଙ୍କର ରୟ ଓ ଅମିତ୍‌ ସିହ୍ନା ୨୨ ରନ ଲେଖାଏ କରିଥିଲେ। ମୁମ୍ବାଇ ପକ୍ଷରୁ ଧାଓ୍ବଲ କୁଲକର୍ନୀ, ଶିଭମ ଦୁବେ ଓ ସାମ୍ସ ମୁଲାନି ୨ଟି ଲେଖାଏ ଉଇକେଟ୍‌ ନେଇଥିଲେ।

Share