Categories: ଜାତୀୟ

ହଂକଂରେ ଥିବା ପୁଅ ପାଇଁ ମାସ୍କ ପଠାଇ ପାରୁ ନାହାନ୍ତି ବାପା

ନଏଡା,୪।୨: ଚାଇନାରେ ଏବେ କରୋନାଭାଇରସ ମହାମାରୀର ରୂପ ନେଇଥିବା ବେଳେ ଏହାକୁ ଦେଖି ସାରା ବିଶ୍ୱ ଚିନ୍ତାରେ ପଡିଯାଇଛି। ଉତ୍ତରପ୍ରଦେଶ ନଏଡା ମେଡିକାଲ ଆସୋସିଏଶନର ଅଧ୍ୟକ୍ଷ ଥିବା ଅନୁପ ଖାନ୍ନା ଏବେ ତାଙ୍କ ଅସହାୟତା କଥା ପ୍ରକାଶ କରିଛନ୍ତି। ହଂକଂରେ ତାଙ୍କ ପୁଅ ପରିବାର ସହ ରହୁଥିବା ବେଳେ ଏବେ ସେ ତାଙ୍କ ନିକଟକୁ କିଛି ମାସ୍କ ପଠାଇବାକୁ ଚାହିଁଲେ ବି ପଠାଇ ପାରୁନାହନ୍ତି ବୋଲି କହିଛନ୍ତି। ସେ କୁରିୟରରେ ମାସ୍କ ପଠାଇଥିଲେ ମଧ୍ୟ ଏହା ତାଙ୍କ ନିକଟକୁ ପୁଣି ଫେରି ଆସିଛି ବୋଲି ସେ କହିଛନ୍ତି। ଏସବୁ ସେ ବିମାନ ଯୋଗେ ପଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିମାନରେ ମେଡିକାଲ ଇକ୍ୟୁପମେଣ୍ଟ ନେବାକୁ ବାରଣ କରାଯାଇଥିବାରୁ ସେ ଏହା ପଠାଇ ପାରି ନ ଥିବା କହିଛନ୍ତି। ଏହାକୁ ନେଇ ସେ ନଏଡାର ଭାଜପା ବିଧାୟକ ପଙ୍କଜ ସିଂଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବାହାରେ ଥିବା ପରିବାର ସଦସ୍ୟଙ୍କ ପାଇଁ ମାସକୁ ଅତିକମରେ ୧୦ଟି ମାସ୍କ ପଠାଇବାକୁ ଭାରତୀୟ ପରିବାରଙ୍କୁ ଅନୁମତି ଦେବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଚାଇନାରେ କରୋନାଭାଇରସର ଭୟାବହତାକୁ ଦେଖି ସେଠାରେ ଏବେ ମାସ୍କ ମିଳୁନାହିଁ କହିଲେ ଚଳେ। ସେଥିପାଇଁ ସେ ଏତେ ବ୍ୟସ୍ତ ହୋଇ ପଡିଥିବା କହିଛନ୍ତି। ସୂଚନାଯୋଗ୍ୟ, ଚାଇନାରେ କରୋନାଭାଇରସ ସଂକ୍ରମଣରେ ଏବେ ପର୍ଯ୍ୟନ୍ତ ୪୨୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ହଜାରରୁ ଊଦ୍ଦର୍‌ବ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ଚିକିତ୍ସା କରାଯାଉଛି।

Share