ହଂକଂରେ ବିକ୍ଷୋଭ ବେଳେ ପୁଣି ହିଂସା

ହଂକଂ,୧୬ା୯(ଏଏଫ୍‌ପି): ଦୀର୍ଘଦିନ ଧରି ହଂକଂରେ ଚାଲିଥିବା ସରକାର ବିରୋଧୀ ବିକ୍ଷୋଭ ରବିବାର ପୁଣିଥରେ ହିଂସାତ୍ମକ ରୂପ ନେଇଛି। ଗଣତନ୍ତ୍ର ସପକ୍ଷବାଦୀ ବିକ୍ଷୋଭକାରୀଙ୍କୁ ତଡ଼ିବା ପାଇଁ ହଂକଂର ଦଙ୍ଗା ନିୟନ୍ତ୍ରଣ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହ ପାଣିମାଡ଼ କରିଛି। ଅନ୍ୟପକ୍ଷରେ ବିକ୍ଷୋଭକାରୀମାନେ ମଧ୍ୟ ପୋଲିସ ଉପରକୁ ଟେକାମାଡ଼ କରିବା ସହ ପେଟ୍ରୋଲ ବୋମା ଫିଙ୍ଗିଥିଲେ। ପ୍ରଶାସନର ବିରୋଧ ସତ୍ତ୍ୱେ ହଜାର ହଜାର ବିକ୍ଷୋଭକାରୀ ଶୋଭାଯାତ୍ରାରେ ବାହାରିଥିଲେ। ତେବେ ଆନ୍ଦୋଳନକାରୀଙ୍କ ମଧ୍ୟରେ ଥିବା ଚରମପନ୍ଥୀ ଗୋଷ୍ଠୀର ସଦସ୍ୟମାନେ ସହରର କେତେକ ସରକାରୀ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାରୁ ବିକ୍ଷୋଭ ହିଂସାତ୍ମକ ହୋଇଥିଲା। ବିକ୍ଷୋଭକାରୀମାନେ କମ୍ୟୁନିଷ୍ଟ ଚାଇନା ପ୍ରତିଷ୍ଠାର ୭୦ତମ ବାର୍ଷିକୀ ପାଳନ ପାଇଁ ଲଗାଯାଇଥିବା ବ୍ୟାନର ପୋଡିବା ସହ ଚାଇନା ପତାକା ଜାଳୁଥିବା ସ୍ଥାନୀୟ ଟେଲିଭିଜନରେ ପ୍ରସାରିତ ହୋଇଛି। କେତେକ ସ୍ଥାନରେ ବିକ୍ଷୋଭକାରୀ ଭଙ୍ଗାରୁଜା କରିଥିଲେ। ହଂକଂ କର୍ତ୍ତୃପକ୍ଷ ପ୍ରତ୍ୟର୍ପଣ ବିଲ୍‌ ପ୍ରତ୍ୟାହାର କରିନେଇଥିଲେ ହେଁ ଅଧିକ ଗଣତାନ୍ତ୍ରିକ ସ୍ବାଧୀନତା ଦାବିରେ ବିକ୍ଷୋଭ ଜାରି ରହିଛି।

Share