ହଂକଂରେ ବିକ୍ଷୋଭ ବେଳେ ହିଂସା

ହଂକଂ,୧୦ା୬(ଏଏଫ୍‌ପି): ଚାଇନାର ପ୍ରତ୍ୟର୍ପଣ ଆଇନକୁ ବିରୋଧ କରି ହଂକଂରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ଲକ୍ଷ ଲକ୍ଷ ଜନସାଧାରଣ ଭାଗ ନେଇ ଶୋଭାଯାତ୍ରାରେ ବାହାରିଥିବାବେଳେ ସେମାନଙ୍କୁ ଘଉଡାଇବାକୁ ପୋଲିସ ଲାଠିଚାଳନା ଓ ପିପର ସ୍ପ୍ରେ କରିବାରୁ ହିଂସାକାଣ୍ଡ ଘଟିଛି। ବିକ୍ଷୋଭକାରୀମାନେ ବୋତଲ ଫିଙ୍ଗିବା ସହ ବାରିକେଡ ବ୍ୟବହାର କରିଥିଲେ। ଜଣେ ପୋଲିସ ଅଫିସର ଗୁରୁତର ଆହତ ହୋଇଥିବା ଜଣାପଡିଛି। ପୂର୍ବରୁ ଆନ୍ଦୋଳନକାରୀମାନେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଚଳାଇଥିବାବେଳେ ମଧ୍ୟରାତ୍ର ପରେ ଏହା ହିଂସାତ୍ମକ ରୂପ ନେଇଥିଲା।
ପ୍ରସ୍ତାବିତ ପ୍ରତ୍ୟର୍ପଣ ଆଇନକୁ ରଦ୍ଦ କରିବା ଦାବିରେ ରବିବାର ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଲକ୍ଷ ଲକ୍ଷ ଆନ୍ଦୋଳନକାରୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବୁଧବାର ଉକ୍ତ ବିଲ୍‌ ଉପରେ ବିଧାନ ପରିଷଦରେ ଦ୍ୱିତୀୟ ପାଠ ହେବାକୁ ଥିବାବେଳେ ସେ ପର୍ଯ୍ୟନ୍ତ ଏହା ବାହାରେ ବସିରହିବା ଲାଗି କେତେକ ଯୁବ ବିକ୍ଷୋଭକାରୀ ଯୋଜନା କରିଥିଲେ। ତେବେ ସେମାନଙ୍କୁ ମିଳିଥିବା ବିକ୍ଷୋଭ ଅନୁମତି ମଧ୍ୟରାତ୍ରରେ ଶେଷ ହୋଇଯିବା ପରେ ପୋଲିସ ସେମାନଙ୍କୁ ତଡିବା ପାଇଁ ଲାଠିଚାଳନା କରିଥିଲା। ଫଳରେ ମାତ୍ର କିଛି ମୁହୂର୍ତ୍ତ ମଧ୍ୟରେ ଘଟଣାସ୍ଥଳ ରଣାଙ୍ଗନରେ ପରିଣତ ହୋଇଥିଲା। ବିକ୍ଷୋଭକାରୀ ଏବଂ ଦଙ୍ଗା ନିୟନ୍ତ୍ରଣ ପୋଲିସ ବାହିନୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ୧୯୯୭ରେ ହଂକଂ ଚାଇନାକୁ ହସ୍ତନ୍ତର ପରେ ଏଭଳି ବିଶାଳ ବିକ୍ଷୋଭ କେବେ ହୋଇ ନଥିଲା।

Share