MARLOW - 2019 Test Matches: India Great Britain v India (W) Photo: WORLDSPORTPICS COPYRIGHT WILL PALMER
ନୂଆଦିଲ୍ଲୀ, ୪।୩- ହକି ଇଣ୍ଡିଆ ବାର୍ଷିକ ପୁରସ୍କାରର ତୃତୀୟ ସଂସ୍କରଣ ପାଇଁ ମନୋନୟନପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ହକି ତାରକା ମାନଙ୍କୁ ପୁରସ୍କାର ଆକାରରେ ୧.୩୦ କୋଟି ଟଙ୍କା ସହିତ ହକି ଇଣ୍ଡିଆ ଟ୍ରଫି ପ୍ରଦାନ କରାଯିବ। ଓଡ଼ିଶାର ମହିଳା ହକି ତାରକା ଦୀପ୍ ଗ୍ରେସ୍ ଏକ୍କା ୨ଟି କାଟେଗୋରି ପାଇଁ ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। ସେ ହକି ଇଣ୍ଡିଆ ଧ୍ରୁବ ବାତ୍ରା ପ୍ଲେୟର ଅଫ ଦି ଇୟର ୨୦୧୯(ମହିଳା) ଦୌଡ଼ରେ ଅନ୍ୟ ୩ ଜଣଙ୍କ ସହ ସାମିଲ ହୋଇଛନ୍ତି। ଅନ୍ୟ ୩ ଖେଳାଳି ହେଲେ ଗୁରଜିତ କୌର, ଅଧିନାୟିକା ରାଣୀ ରାମପାଲ ଓ ସବିତା। ଏହି କାଟେଗୋରି ପାଇଁ ପୁରସ୍କାର ଆକାରରେ ୨୫,୦୦,୦୦୦ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥାଏ। ସେହିପରି ଦୀପ୍ ଗ୍ରେସ୍ ହକି ଇଣ୍ଡିଆ ପର୍ଗତ ସିଂ ଡିଫେଣ୍ଡର ଅଫ ଦି ଇୟର ୨୦୧୯ ପୁରସ୍କାର ଦୌଡ଼ରେ ଅନ୍ୟ ୪ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଏହି ପୁରସ୍କାର ଦୌଡ଼ରେ ଥିବା ଅନ୍ୟ ୩ ଜଣ ଯାକ ପୁରୁଷ ଖେଳାଳି। ସେମାନେ ହେଲେ ହରମନପ୍ରୀତ ସିଂ, ସୁରେନ୍ଦର କୁମାର ଓ ବରୁଣ କୁମାର। ଏହି କାଟେଗୋରି ପାଇଁ ୫,୦୦,୦୦୦ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥାଏ। ଚଳିତ ମାସ ୮ ତାରିଖରେ ନୂଆଦିଲ୍ଲୀଠାରେ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ।
ହକି ଇଣ୍ଡିଆ ମେଜର ଧ୍ୟାନଚାନ୍ଦ ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ ପୁରସ୍କାର ବିଜେତାଙ୍କ ନାମ ପୁରସ୍କାର ପ୍ରଦାନ ଉତ୍ସବରେ ଘୋଷଣା କରାଯିବ ବୋଲି ହକି ଇଣ୍ଡିଆ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ପୁରସ୍କାର ପାଇଁ ୩୦,୦୦,୦୦୦ଟଙ୍କା ଓ ଟ୍ରଫି ଦିଆଯାଇଥାଏ। ଧ୍ରୁବ ବାତ୍ରା ପ୍ଲେୟର ଅଫ ଦି ଇୟର(ପୁରୁଷ) ପୁରସ୍କାର (୨୫,୦୦,୦୦୦ଟଙ୍କା ଓ ଟ୍ରଫି) ଦୌଡ଼ରେ ଥିବା ଖେଳାଳିମାନେ ହେଲେ ହରମନପ୍ରୀତ ସିଂ, ମନଦୀପ ସିଂ, ଅଧିନାୟକ ମନପ୍ରୀତ ସିଂ ଓ ସୁରେନ୍ଦର କୁମାର। ଯୁଗରାଜ ସିଂ ଶ୍ରେଷ୍ଠ ଉଦୀୟମାନ ଖେଳାଳି(ପୁରୁଷ) ପୁରସ୍କାର ପାଇଁ ଦିଲପ୍ରୀତ ସିଂ, ଗୁରସାହିବଜିତ ସିଂ, ମନଦୀପ ମୋର ଓ ବିବେକ ସାଗର ପ୍ରସାଦ ଥିବାବେଳେ ଅସୁନ୍ତା ଲାକ୍ରା ଶ୍ରେଷ୍ଠ ଉଦୀୟମାନ ଖେଳାଳି(ମହିଳା) ପୁରସ୍କାର ଦୌଡ଼ରେ ଲାଲରେମସିଆମି, ସାଲିମା ଟେଟେ, ଶର୍ମିଳା ଦେବୀ ସ୍ଥାନ ପାଇଛନ୍ତି। ଏହି ୨ କାଟେଗୋରି ପାଇଁ ୧୦,୦୦,୦୦୦ ଲେଖାଏ ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବ। ସେହିପରି ଧନରାଜ ପିଲେ ଫରଓ୍ବାର୍ଡ ଅଫ ଦି ଇୟର ପୁରସ୍କାର ପାଇଁ ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ, ନଭନୀତ କୌର ଓ ରାଣୀ ଥିବାବେଳେ ଅଜିତ ପାଲ୍ ସିଂ ମିଡ୍ଫିଲ୍ଡର ଅଫ ଦି ଇୟର ପୁରସ୍କାର ଦୌଡ଼ରେ ମନପ୍ରୀତ ସିଂ, ମୋନିକା, ନେହା ଗୋୟଲ ଓ ବିବେକ ସାଗର ପ୍ରସାଦ ରହିଛନ୍ତି। ବଲଜିତ ସିଂ ଗୋଲକିପର ଅଫ ଦି ଇୟର ପୁରସ୍କାର ପାଇଁ ପୁରୁଷ ଦଳର ପି.ଆର. ଶ୍ରୀଜେଶ ଓ କ୍ରିଷ୍ଣନ ବାହାଦୂର ପାଠକ ଏବଂ ମହିଳା ଦଳର ସବିତା ଓ ରଜନୀ ଇଟିମାରପୁ ସାମିଲ ହୋଇଛନ୍ତି। ଏହା ବ୍ୟତୀତ ହକିକୁ ମୂଲ୍ୟବାନ ଅବଦାନ ପାଇଁ ଯମୁନାଲାଲ ଶର୍ମା ପୁରସ୍କାର ଏବଂ ଅବିସ୍ମରଣୀୟ ପ୍ରଦର୍ଶନ ପାଇଁ ହକି ଇଣ୍ଡିଆ ପ୍ରେସିଡେଣ୍ଟ୍ସ ପୁରସ୍କାର ବିଜେତାଙ୍କ ନାମ ଉକ୍ତ ଉତ୍ସବରେ ଘୋଷଣା କରାଯିବ ବୋଲି ପ୍ରକାଶ କରାଯାଇଛି। ଏହି ୫ କାଟେଗୋରି ପାଇଁ ୫,୦୦,୦୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବ।